କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ପ୍ରଥମ ଥର ୨୬ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ତୁଣ୍ଡଲା ଗ୍ରାମ ପଞ୍ଚାୟତର ବନ୍ଧପଡ଼ା ଗ୍ରାମରେ କେସିଙ୍ଗା ବ୍ଲକ ପକ୍ଷରୁ ସୌରଶକ୍ତି ଦ୍ଵାରା ପରିଚାଳିତ ଏକ ଅମୃତଧାରା ଓ ଗୋଷ୍ଠୀ ଶୌଚାଳୟ ଆଜି ଦିନ ଉଦ୍ଘାଟିତ ହୋଇ ଯାଇଛି। ତତ୍ ସଙ୍ଗେ ସଙ୍ଗେ ତୁଣ୍ଡଲା ବଜାର ଛକ ଠାରେ ମଧ୍ୟ ଲୋକଙ୍କ ସୁବିଧା ପାଇଁ ତିନି ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଗୋଷ୍ଠୀ ଶୌଚାଳୟ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି। ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ଯୋଗ ଦେଇଥିଲେ। ଅତିଥି ମାନେ ଆଗାମୀ ଦିନରେ କେସିଙ୍ଗା ବ୍ଲକ ର ଯେକୌଣସି ପଞ୍ଚାୟତରେ ନୂତନ ଗୋଷ୍ଟି ଶୌଚାଳୟ କିମ୍ବା ଅମୃତଧାରା ନିର୍ମାଣ ହେଲେ ବିଜୁଳି ବ୍ୟବସ୍ଥା ସୌରଚଳିତ ହେବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତୁଣ୍ଡଲା ସରପଞ୍ଚ ସରୋଜ ସେଠ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥ ରଣା ଓ ବହୁ ସଂଖ୍ୟାରେ ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।
