ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାର ପରିପ୍ରକାଶ ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ ‘ସୁରଭି’ କାର୍ଯ୍ୟକ୍ରମ ଗୋଲାମୁଣ୍ଡା ବ୍ଲକରେ ଏବେ ବିବାଦ ଘେରରେ। ବିନା ପ୍ରଚାର ପ୍ରସାରରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶେଷ ହୋଇଯାଇଥିବା ବେଳେ ଏହାର ଆୟୋଜନ, ପରିଚାଳନା ଓ ବିଭାଗୀୟ ସମନ୍ୱୟକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ବିଶେଷକରି ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତଦାରଖ ଓ କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏତେ ବଡ଼ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ ମଧ୍ୟ ସ୍ଥାନୀୟ ସାମ୍ବାଦିକମାନଙ୍କୁ ଆଗୁଆ ସୂଚନା ଦିଆନଯିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏହା କ’ଣ ବିଭାଗୀୟ ସମନ୍ୱୟର ଅଭାବ, ନା କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପ୍ରତି ଅବହେଳା? ଯେଉଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା, ସେହି କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣ ଓ ଗଣମାଧ୍ୟମ ଅବଗତ ନହେବା ନିଶ୍ଚିତ ଭାବେ ଏକ ବିଡ଼ମ୍ବନା। ଅନ୍ୟପକ୍ଷରେ, କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟ ଓ ପରିଚାଳନା ମଧ୍ୟ ଶୃଙ୍ଖଳିତ ଭାବେ ହୋଇନଥିବା ଅଭିଯୋଗ ହୋଇଛି। ଏହାଠାରୁ ଆହୁରି ଗୁରୁତର ଅଭିଯୋଗ ହେଉଛି, ଗ୍ରୀଣ୍ଡୋଲ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଆୟୋଜନ ନକରି ସିଧାସଳଖ ବ୍ଲକସ୍ତରୀୟ ପ୍ରତିଯୋଗିତା କରାଯାଇଛି। ଯଦି ଏହି ଅଭିଯୋଗ ସତ୍ୟ, ତେବେ କ୍ଲଷ୍ଟରସ୍ତରରେ ପ୍ରତିଭା ଚୟନ ଓ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତିର ସୁଯୋଗ ଦେବାର ବ୍ୟବସ୍ଥା କେଉଁଠି ରହିଲା? ସମସ୍ତ ବିଦ୍ୟାଳୟ ଓ କ୍ଲଷ୍ଟରର ପିଲାଙ୍କୁ ସମାନ ସୁଯୋଗ ମିଳିଲା କି? ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ଏକ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତି କିଏ କରିଥିଲେ। କ୍ଲଷ୍ଟରସ୍ତରୀୟ ଆୟୋଜନ ନହେବା ସମ୍ପର୍କରେ ବିଇଓ ଅବଗତ ଥିଲେ କି। ଯଦି ଅବଗତ ଥିଲେ, ତେବେ ଏଥିପାଇଁ କ’ଣ ପଦକ୍ଷେପ ନିଆଯାଇଥିଲା? ଏସବୁ ପ୍ରଶ୍ନର ଉତ୍ତର ଶିକ୍ଷା ବିଭାଗ ପକ୍ଷରୁ ମିଳିବା ଆବଶ୍ୟକ। ବ୍ଲକସ୍ତରରେ ଶିକ୍ଷା ବ୍ୟବସ୍ଥାର ତଦାରଖ ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଦାୟିତ୍ୱ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପରେ ନ୍ୟସ୍ତ। ଏଭଳି ସ୍ଥିତିରେ ସୁରଭି ଭଳି ଛାତ୍ରକୈନ୍ଦ୍ରିକ କାର୍ଯ୍ୟକ୍ରମରେ ଯୋଜନା, ସମନ୍ୱୟ, ସୂଚନା ପ୍ରସାର ଓ ସମୟ ପରିଚାଳନାରେ ତ୍ରୁଟି ଦେଖାଦେବା ବିଭାଗୀୟ ତଦାରଖ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ସୁରଭି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ମଞ୍ଚ ଯୋଗାଇଥାଏ। ତେଣୁ ଏହାକୁ କେବଳ ଆୟୋଜନ ସରିବାର ଔପଚାରିକତା ମଧ୍ୟରେ ସୀମିତ ରଖିବା ଆଦୌ ଗ୍ରହଣୀୟ ନୁହେଁ। ଏହି ସମସ୍ତ ଅଭିଯୋଗ ଉପରେ ଗୋଲାମୁଣ୍ଡା ବିଇଓଙ୍କ ସ୍ପଷ୍ଟୀକରଣ ସହ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯିବା ଏବେ ଜରୁରୀ ହୋଇପଡ଼ିଛି। ନଚେତ୍ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ଉଦ୍ଦିଷ୍ଟ ଏଭଳି ଯୋଜନା ନିଜର ମୂଳ ଲକ୍ଷ୍ୟରୁ ଦୂରେଇ ଯିବାର ଆଶଙ୍କା ରହିଛି।
