ବିଧାୟକଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

କୋକସରା/କ୍ରାନ୍ତିକ୍ଷେତ୍ର : ଧର୍ମଗଡ଼ ବିଧାୟକଙ୍କ କରକମଳରେ ଆଜି କୋକସରା ବ୍ଲକର ବିଭିନ୍ନ ରାସ୍ତା ସହିତ ବ୍ରିଜ୍ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଅଞ୍ଚଳବାସୀଙ୍କ ଦିର୍ଘ ବର୍ଷର ଦାବି ପୂରଣ ହୋଇଥିବାରୁ ସେମାନେ ଖୁସିବ୍ୟକ୍ତ କରିଛନ୍ତି। କୋକସରା ବ୍ଳକର ବିଜୁ ଏକ୍ସପ୍ରେସୱେ ଠାରୁ ମଙ୍ଗଳପୁର ଭାୟା ସାନପୋଡାଗୁଡା ଓ ସାନକେନ୍ଦୁଗୁଡା ଠାରୁ ପଦ୍ମପୁର, ମଙ୍ଗଳପୁର ବ୍ରିଜ୍ ଓ ବାଙ୍କିମୁଣ୍ଡା ଠାରୁ ଦାବ୍ରିଗୁଡା ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀଙ୍କ ଦ୍ବାରା କରାଯାଇଛି। ଧର୍ମଗଡ଼ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ସମସ୍ତ କାର୍ଯ୍ୟର ସମ୍ପାଦନ କରାଯାଉଥିବା ବେଳେ ମଙ୍ଗଳପୁର ଭାୟା ସାନକେନ୍ଦୁଗୁଡା ରାସ୍ତା ନିମନ୍ତେ ୪୫୪.୫୦ ଲକ୍ଷ ଟଙ୍କା ଅନୁଦାନ ରହିଛି, ବିଜୁ ଏକ୍ସପ୍ରେସୱେ ଠାରୁ ମଙ୍ଗଳପୁର ଭାୟା ସାନପୋଡାଗୁଡା ରାସ୍ତା ପାଇଁ ୨୬୭.୪୦ ଲକ୍ଷ ଟଙ୍କା ଓ ପିଡବ୍ଳୁଡି ବାଙ୍କିମୁଣ୍ଡା ଠାରୁ ଦାବ୍ରିଗୁଡା ରାସ୍ତା ନିମନ୍ତେ ୫୪୩.୩୪ ଲକ୍ଷ ଟଙ୍କା ଅନୁଦାନ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯେ’ ବିଜୁ ଏକ୍ସପ୍ରେସୱେ ମଙ୍ଗଳପୁର ଭାୟା ସାନପୋଡାଗୁଡା ରାସ୍ତା ଓ ମଝିରେ ଥିବା ଏକ ନାଲାରେ ବ୍ରିଜ ନିର୍ମାଣ ନିମନ୍ତେ ଅଞ୍ଚଳବାସୀ ଦିର୍ଘ ବର୍ଷରୁ ଦାବି କରି ଆସୁଥିଲେ। ହେଲେ କୌଣସି ସୁଫଳ ମିଳୁ ନଥିଲା। ଅନେକ ସମୟରେ ରାସ୍ତାରେ ତଲିରୋଇ ପ୍ରତିବାଦ କରିଥିବାବେଳେ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ଜଣାଇ ଲୋକେ ନିରାଶ ହୋଇଥିଲେ। ବର୍ତ୍ତମାନ ଉକ୍ତ ରାସ୍ତା ଓ ମଝିରେ ଥିବା ବ୍ରିଜ୍ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ମଙ୍ଗଳପୁର, ସାନ ପୋଡ଼ାଗୁଡା ଓ ସାନକେନ୍ଦୁଗୁଡା ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଥିବାରୁ ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ବିଧାୟକ ଶ୍ରୀପାଟ୍ଟଯୋଷୀଙ୍କ ସହିତ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ, ଜିଲ୍ଲା ସମ୍ପାଦକ ହିମାଂଶୁ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ମାଝୀ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଯୁବମୋର୍ଚ୍ଚା ସଭାପତି ତ୍ରୈଲୋକ୍ୟ ବେଶ୍ରା, ସନ୍ତୋଷ ମାଝୀ, ଅର୍ଜୁନ ଭାଟି, ଚୌବନ ମେହେର, ଟେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ପୋଡାଗୁଡା ସରପଞ୍ଚ ଜୟରାମ ନାଏକ, ସମିତି ସଭ୍ୟ ରାଜୀବ ଖମାରୀ, ମହିଳା ନେତ୍ରୀ ଧରିତ୍ରୀ ବାଗ, ସ୍ଥାନୀୟ ଗ୍ରାମବାସୀ ସୁଭମ ନାଗ ସମେତ ଗ୍ରାମ୍ୟଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କାନନ ପ୍ରଧାନ, ସହକାରୀ ଯନ୍ତ୍ରୀ ତରୁଣ ନାଏକ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ସାହୁ, କେଦାର ଦାସ ଓ ଆଶିଷ କୁମାର ସେଠୀ ଉପସ୍ଥିତ ରହିଥିଲେ।