ବନ୍ଧକନାଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ 

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବନ୍ଧକନା ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଏହି ବିଦ୍ୟାଳୟ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ସ୍ମରଣିକା ତୁଲ, କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ଲୋକସଭା ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ରାଉତ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଘନଶ୍ୟାମ ନାଏକ, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବନ୍ଧକନା ଗ୍ରାମ ପଞ୍ଚାୟତର ସରପଞ୍ଚ ହିମାଦ୍ରି ବାଗ, ସମିତି ସଭ୍ୟ ରିନା ମାଝୀ , ସମାଜସେବୀ ବିଜୟ ପଣ୍ଡା, ଶିକ୍ଷାବିତ୍ ଶତୃଘ୍ନ ବାଗ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟ ପ୍ରସାଦ ଜାନି ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଗଣେଶ ଚନ୍ଦ୍ର ବାଗ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷାର ବିକାଶ ପାଇଁ ଏଭଳି ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ଓ ଏହାର ଗୁରୁତ୍ୱ ଉପରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ବିଦ୍ୟାଳୟ ଆଗାମୀ ଦିନରେ ଅଞ୍ଚଳର ଶିକ୍ଷାଗତ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *