ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳରେ ଥିବା ବକ୍ସାଇଟ୍ ସମୃଦ୍ଧ ଖଣ୍ଡୁଆଳ ମାଳିରେ ଖଣି ଖନନକୁ ବିରୋଧ କରି ଜନଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କର୍ଲାପାଟର ଭେଜିଗୁଡାଠାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ବୈଠକ ଅନୁଷ୍ଠିତ କରିଥିଲେ। ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀଙ୍କ ଆହ୍ୱାନ କ୍ରମେ ଭଗତରାମ ନାଏକ, ରଞ୍ଜିତ ମାଝୀ, କରୁଣା ମାଝୀ ଓ ସତ୍ୟନାରାୟଣ ମାଝୀଙ୍କ ନେତୃତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମାଝୀ ଓ ଆଲିଙ୍ଗ ମାଝୀଙ୍କ ସମେତ ବିଭିନ୍ନ ଗାଁର ଜନପ୍ରତିନିଧି, ସମାଜସେବୀ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗଦେଇଥିଲେ। ଏଥିରେ ପୋଲିଂଗପଦର, ଭେଜିଗୁଡା, ନାକୁରୁଣ୍ଡି ଆମଝୋଲା, ରଣପୁର ଓ ଅମଠାଗୁଡା ଅଞ୍ଚଳର ପ୍ରତିନିଧିମାନେ ଉପସ୍ଥିତ ରହି ଖଣ୍ଡୁଆଳ ମାଳିର ସୁରକ୍ଷା ଓ ଖଣି ଖନନକୁ ବିରୋଧ କରିବା ନେଇ ନିଜ ମତ ରଖିଥିଲେ। ବୈଠକ ପରେ ଖଣି ଖନନ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଗାଁରେ ଏକ ରାଲି କରାଯାଇଥିଲା। ଖଣ୍ଡୁଆଳ ମାଳିର ସୁରକ୍ଷା ଏବଂ ଖଣି ଖନନ ବିରୋଧରେ ଏକତାବଦ୍ଧ ଭାବେ ଆନ୍ଦୋଳନ ଜାରି ରଖିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମାଜସେବୀ ଧୋବା ସାହୁ ଓ ସରୋଜ ବାଗଙ୍କ ସମେତ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, କୈଳାସ ଚନ୍ଦ୍ର ଛତ୍ରିଆ, ବୀରବଜ୍ରଙ୍ଗ ନାଏକ, ରବିନାରାୟଣ ସିଂହ ଓ ଯୁଧିଷ୍ଠିର ନାଏକ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବିଜୟ ମାଝୀ ପରିଚାଳନା କରିଥିଲେ। ଖଣ୍ଡୁଆଳ ମାଳିର ସୁରକ୍ଷାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହି ବୈଠକ ଓ ରାଲି ମାଧ୍ୟମରେ ଖଣି ଖନନ ବିରୋଧୀ ସ୍ୱର ଆହୁରି ଜୋରଦାର ହୋଇଛି।
