ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ଓ ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ, ସିଡିଓ, ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଳ ଭବାନୀପାଟଣା ଆଶିନି ଏ ଏଲ, ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ବିଭିନ୍ନ ସମସ୍ୟାର ସମାଧାନ ଆଶାରେ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗକୁ ଜିଲ୍ଲାପାଳ ନିକଟରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ତଦନ୍ତ ଓ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୪୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୨୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୨ଟି ଗ୍ରାମ୍ୟ ଓ ସାମୂହିକ ଅଭିଯୋଗ ରହିଥିଲା। ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଜଣ ଙ୍କୁ ଏବଂ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୧୧ଟିର ସମାଧାନ ତତ୍କାଳ ଘଟଣାସ୍ଥଳରେ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ଓ ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଥିଲା। ଏହି ଅବସରରେ ମହାରାଣୀ କସ୍ତୁରିକା ମୋହିନୀ ଦେବୀ +୩ ମହାବିଦ୍ୟାଳୟ ର ଦୃଷ୍ଟି ବାଧୀତ ଛାତ୍ର ପ୍ରେମଲାଲ ଠାକୁର ଏବଂ କେସିଙ୍ଗା ମହାବିଦ୍ୟାଳୟ ର ଛାତ୍ର ସୁମନ୍ତ ସାହୁ ଙ୍କୁ ଜିଲ୍ଲାପାଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଯୋଜନା ଅନ୍ତର୍ଗତ ଲାପଟପ୍ କୁ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *