ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର କଳାହାଣ୍ଡି (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବଲ୍କର ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ହେଲେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ପ୍ରତିବେଡା ଗାଁର ଦୁର୍ଯ୍ୟ ଭୋଇ (୩୦) ଓ ଦିଗମ୍ବର ଗୌଡ଼ (୧୭)। ସୂଚନାଯୋଗ୍ୟ, ଦୁର୍ଯ୍ୟ ନିଜ ଶ୍ୱଶୁର ଘରକୁ ନିଜ ଗାଁର ଦିଗମ୍ବରକୁ ସାଙ୍ଗରେ ନେଇ ଯାଉଥିବା ବେଳେ କୁଚେଇଯୋର ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ବଲ୍କର ଧକ୍କା ଦେଇ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ବଲ୍କରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନାହିଁ ଏବଂ ଶବ ବ୍ୟବଚ୍ଛେଦ ହୋଇନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ କୁଚେଇଯୋର ଠାରେ ରାସ୍ତାରୋକ କରିଛନ୍ତି। ଫଳରେ ୬ ନମ୍ବର ରାଜ୍ୟ ରାଜପଥରର ଭବାନୀପାଟଣା-ରାୟଗଡ଼ା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
