ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାହାଦୁରପଡ଼ା ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋକପଦର ଗ୍ରାମର କ୍ଷେତ୍ର କଟା (୪୫)। ଦୁର୍ଘଟଣାରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ସଦସ୍ୟ ଓ ଗ୍ରାମବାସୀ ବାହାଦୁରପଡ଼ା ଛକ ନିକଟରେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହି ରାସ୍ତା ଅବରୋଧରେ କଳାହାଣ୍ଡି ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଗୋଲାମୁଣ୍ଡା ବ୍ଲକ ଯୁବ ଯାଦବ ସମ୍ପାଦକ ରାଜେଶ ବଗର୍ତ୍ତି, ମହେନ୍ଦ୍ର ନାଗ, ନିଆମ ମାଝୀଙ୍କ ସମେତ ଗୋଇନ୍ଦିମୁଣ୍ଡା, ବାହାଦୁରପଡ଼ା ଓ ଖଲିଆକାନି ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାରକୁ ନ୍ୟାୟ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜୋରଦାର ହୋଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ପ୍ରଶାସନ ପକ୍ଷରୁ ନିଆଯିବାକୁ ଥିବା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ଖବର ଲେଖା ହେବା ସମୟ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *