କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : କ୍ରୀଡ଼ା କ୍ଷେତ୍ରରେ ନିଜର ପ୍ରତିଭା ଓ ଦକ୍ଷତା ବଳରେ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି ବୌଦ୍ଧ ଜିଲ୍ଲାର ଝିଅ ଟେନିଶା ମେହେର। ତୀରନ୍ଦାଜୀ ଭଳି ଏକ ଦକ୍ଷତାଭିତ୍ତିକ କ୍ରୀଡ଼ାରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି ଟେନିଶା ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ବୌଦ୍ଧ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଡୁଡୁକାସ୍ଥିତ ଭେଷଜ ପଟେଲ ମହାବିଦ୍ୟାଳୟର ଆନୁକୂଲ୍ୟରେ ଗତ ଶନିବାର ଦିନ ସୁନ୍ଦରଗଡ଼ସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରଠାରେ ଅନ୍ତଃମହାବିଦ୍ୟାଳୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୬ଟି ମହାବିଦ୍ୟାଳୟର ତୀରନ୍ଦାଜମାନେ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଖେଳାଳିମାନେ ନିଜର ଏକାଗ୍ରତା, ଧୈର୍ଯ୍ୟ, ନିୟନ୍ତ୍ରଣ ଓ ଲକ୍ଷ୍ୟଭେଦ କ୍ଷମତାର ପରିଚୟ ଦେଇଥିବାବେଳେ ବୌଦ୍ଧ ଜିଲ୍ଲା ବୁଟୁପାଲି ଗ୍ରାମର ଟେନିଶା ମେହେର ନିଜର ପ୍ରଦର୍ଶନ ବଳରେ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ଡିସେମ୍ବର ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆସାମର ତେଜପୁର ବିଶ୍ୱବିଦ୍ୟାଳୟଠାରେ ହେବାକୁ ଥିବା ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ପ୍ରତିଯୋଗିତାରେ ସେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏହି ଚୟନ ସମ୍ପର୍କରେ ଭେଷଜ ପଟେଲ ମହାବିଦ୍ୟାଳୟର ବରିଷ୍ଠ କ୍ରୀଡ଼ା ଶିକ୍ଷକ ପରମେଶ୍ୱର ପଟେଲ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟେନିଶା ସୁନ୍ଦରଗଡ଼ର ଡୁଡୁକାସ୍ଥିତ ଭେଷଜ ପଟେଲ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଭାବେ ଅଧ୍ୟୟନ କରୁଥିବାବେଳେ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରହି ନିୟମିତ ଭାବେ ତୀରନ୍ଦାଜୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ, ଅଭ୍ୟାସ ଓ ପରିଶ୍ରମ ତାଙ୍କୁ ଏହି ସଫଳତା ଦେଇଥିବାବେଳେ ଆଗାମୀ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ଉନ୍ନତ ପ୍ରଦର୍ଶନ କରିବେ ବୋଲି ଜିଲ୍ଲାବାସୀ ଆଶାବାଦୀ ଅଛନ୍ତି। ଗ୍ରାମାଞ୍ଚଳରୁ ଆସି ନିଜ ପ୍ରତିଭା ଓ ନିଷ୍ଠା ବଳରେ ଜାତୀୟ ସ୍ତରରେ ଭାଗନେବାର ସୁଯୋଗ ପାଇବା ଅନ୍ୟ ଛାତ୍ରଛାତ୍ରୀ ଓ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ଉଦାହରଣ। ଟେନିଶାଙ୍କ ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବୌଦ୍ଧ ଜିଲ୍ଲାର କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଜିଲ୍ଲାର ଏହି ପ୍ରତିଭାବାନ ଝିଅ ଆଗାମୀ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ବୌଦ୍ଧ ଜିଲ୍ଲା ସହ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରନ୍ତୁ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।
