ଭୁବନେଶ୍ବର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା) : ବାତ୍ୟା ଓ ବନ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସହାୟତା । କ୍ଷତିଗ୍ରସ୍ତ ଚାଷୀଙ୍କଠାରୁ ଆରମ୍ଭ କରି ଘର ହରାଇଥିବା ପରିବାର, ମତ୍ସ୍ୟଜୀବୀ, ପଶୁପାଳକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀଙ୍କ ପାଇଁ ଘୋଷଣା ହୋଇଛି ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ଷତିଗ୍ରସ୍ତ ପ୍ରତ୍ୟେକ ପରିବାରକୁ ମିଳିବ ୫୦ କିଲୋ ଚାଉଳ ସହିତ ୨ ହଜାର ୫୦୦ ଟଙ୍କା । ସେହିପରି ଚାଷୀଙ୍କୁ ହେକ୍ଟର ପିଛା ୮ ହଜାର ୫୦୦ରୁ ୨୨ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ଇନପୁଟ୍ ସବସିଡି ଦିଆଯିବ ।
ତେବେ କେଉଁ କ୍ଷେତ୍ର ପାଇଁ କେତେ ସହାୟତା ଘୋଷଣା ହୋଇଛି, ଆସନ୍ତୁ ଜାଣିବା।
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି ସ୍ୱତନ୍ତ୍ର ପ୍ୟାକେଜ୍ ।
ପ୍ରଥମେ ଜାଣନ୍ତୁ ସାଧାରଣ ପରିବାର ପାଇଁ ସହାୟତା।
-
ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ।
-
ଏହା ସହିତ ୨ ହଜାର ୫୦୦ ଟଙ୍କା ଅନୁଗ୍ରହ ରାଶି।
ଚାଷୀଙ୍କ ପାଇଁ ବଡ଼ ଘୋଷଣା।
୩୩ ପ୍ରତିଶତ କିମ୍ବା ତାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନପୁଟ୍ ସବସିଡି ମିଳିବ।
-
ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା।
-
ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା।
-
ବାରମାସୀ ଫସଲ ପାଇଁ ୨୨ ହଜାର ୫୦୦ ଟଙ୍କା।
ଏହାସହ ଜମିରୁ ବାଲି ଓ ପଟୁମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ମିଳିବ ।
ଚାଷୀଙ୍କୁ ନୂଆ ଫସଲ ଆରମ୍ଭ ପାଇଁ ମଞ୍ଜି କିଟ୍ ଯୋଗାଇ ଦିଆଯିବ। ମୋଟ୍ ୧ ଲକ୍ଷ ୭୫ ହଜାର ସ୍ୱତନ୍ତ୍ର ମିନିକିଟ୍ ବଣ୍ଟନ କରାଯିବ। ରବି ଋତୁରେ କୀଟନାଶକ ଓ ଜୈବ କୀଟନାଶକ ଉପରେ ୭୫ ପ୍ରତିଶତ ସବସିଡି ମଧ୍ୟ ମିଳିବ।
କୃଷି ଋଣ କ୍ଷେତ୍ରରେ ମଧ୍ୟ ଆଶ୍ୱସ୍ତି।
୩୩ ପ୍ରତିଶତ କିମ୍ବା ଅଧିକ ଫସଲ ନଷ୍ଟ ହୋଇଥିବା ଅଞ୍ଚଳରେ ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ ହେବ।
ଘରଭଙ୍ଗା କ୍ଷତିଗ୍ରସ୍ତଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା।
-
ସମ୍ପୂର୍ଣ୍ଣ କିମ୍ବା ଗୁରୁତର କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ୧ ଲକ୍ଷ ୨୦ ହଜାର ଟଙ୍କା।
-
ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା।
-
ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬ ହଜାର ୫୦୦ ଟଙ୍କା।
-
ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪ ହଜାର ଟଙ୍କା।
-
କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮ ହଜାର ଟଙ୍କା।
-
ଗୁହାଳ କ୍ଷତି ପାଇଁ ୩ ହଜାର ଟଙ୍କା।
ଅନ୍ୟ କ୍ଷେତ୍ରକୁ ମଧ୍ୟ ମିଳିବ ସହାୟତା । ପଶୁଧନ, ମତ୍ସ୍ୟଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତତନ୍ତ ଓ MSME କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ମଧ୍ୟ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
କେନ୍ଦ୍ରୀୟ ଟିମ୍ କରିବେ କ୍ଷୟକ୍ଷତି ଆକଳନ।
ବାତ୍ୟାର ପ୍ରଭାବ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଇଣ୍ଟର-ମିନିଷ୍ଟ୍ରିଆଲ୍ ଟିମ୍ ଓଡ଼ିଶା ଆସି କ୍ଷୟକ୍ଷତିର ଆକଳନ କରିବେ।
ବାତ୍ୟା ମୁରାସ୍ ପାଇଁ ସତର୍କ ରହିବ ପ୍ରଶାସନ।
ଗୋଟିଏ ପଟେ ଅର୍ଣ୍ଣବର ପ୍ରଭାବରୁ ଲୋକେ ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁରାସ୍କୁ ନେଇ ଚିନ୍ତା ବଢ଼ିଛି। ତେଣୁ ବର୍ତ୍ତମାନ ଯେଉଁ ସରକାରୀ ଟିମ୍ ଯେଉଁ ଅଞ୍ଚଳରେ ମୁତୟନ ଅଛନ୍ତି, ସେମାନେ ସେହି ଅଞ୍ଚଳରେ ରହିବେ ଏବଂ ଆବଶ୍ୟକତା ଅନୁଯାୟୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।
ବିପର୍ଯ୍ୟୟ ପରେ କେବଳ ତୁରନ୍ତ ରିଲିଫ୍ ନୁହେଁ, ବରଂ ଚାଷୀଙ୍କ ଜୀବିକାଠାରୁ ଆରମ୍ଭ କରି ଘରବାଡ଼ି ଓ କ୍ଷୁଦ୍ର ଉଦ୍ୟୋଗର ପୁନରୁଦ୍ଧାର ପର୍ଯ୍ୟନ୍ତ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଅପେକ୍ଷା, ଘୋଷିତ ସହାୟତା କେତେ ଶୀଘ୍ର ପ୍ରକୃତ କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚୁଛି।
