ଭୁବନେଶ୍ୱରରୁ ନିଖୋଜ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ଦଳେଇ!

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କେଗାଁରୁ ଭୁବନେଶ୍ୱର ଯାଇଥିବା  ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ (୪୨) ନିଖୋଜ ହୋଇଯାଇଛନ୍ତି। ତିନି ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନଥିବାରୁ ପରିବାର ଲୋକେ ଗଭୀର ଚିନ୍ତାରେ ଅଛନ୍ତି। ଏନେଇ ତାଙ୍କ ପତ୍ନୀ ଅନୁପମା ଦଳେଇ କେଗାଁ ଥାନାରେ ଅଭିଯୋଗ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨ ନଭେମ୍ବର ୨୦୨୬ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସୁଶାନ୍ତ ନିଜ ଗ୍ରାମ କେଗାଁରୁ ଭୁବନେଶ୍ୱର ଯିବା ପାଇଁ ବାହାରିଥିଲେ। ତେବେ ୩ ନଭେମ୍ବର ରାତି ପ୍ରାୟ ୯ଟାରେ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିବାରୁ ମୋବାଇଲ ଫୋନ୍ ସ୍ୱିଚ୍‌ଅଫ୍ ଥିବା ଜଣାପଡ଼ିଥିଲା। ଏହାପରେ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଶେଷରେ ତାଙ୍କ ପତ୍ନୀ କେଗାଁ ଥାନାରେ ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୋଲିସ ୪ ନଭେମ୍ବର ୨୦୨୬ରେ ନିଖୋଜ ବ୍ୟକ୍ତି ପଞ୍ଜିକରଣ ନମ୍ବର ୬୬/୨୦୨୬ରେ ମାମଲା ପଞ୍ଜିକରଣ କରିଛି। ତାଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ସୁଶାନ୍ତ କୁମାର ଦଳେଇ ଗୋଲାମୁଣ୍ଡା ବ୍ଲକର ଜଣେ ବରିଷ୍ଠ ସାମ୍ବାଦିକ ହୋଇଥିବାବେଳେ ଦୈନିକ ଓଡ଼ିଆ ଖବରକାଗଜରେ ରିପୋର୍ଟର ଭାବେ କାର୍ଯ୍ୟରତ। ଜଣେ ସାମ୍ବାଦିକଙ୍କ ଏଭଳି ନିଖୋଜ ଘଟଣା ସ୍ଥାନୀୟ ସାମ୍ବାଦିକ ମହଲରେ ମଧ୍ୟ ଉଦ୍‌ବେଗ ସୃଷ୍ଟି କରିଛି। ତାଙ୍କ ସମ୍ପର୍କରେ କୌଣସି ସୂଚନା କିମ୍ବା ଖବର ମିଳିଲେ ନିକଟସ୍ଥ ପୋଲିସ ଥାନା କିମ୍ବା କେଗାଁ ଥାନାକୁ ତୁରନ୍ତ ଜଣାଇବା ପାଇଁ ପରିବାର ପକ୍ଷରୁ ସର୍ବସାଧାରଣଙ୍କୁ ଆକୁଳ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *