ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗ୍ରାମ ପଞ୍ଚାୟତର ବାଗମୁଣ୍ଡାର ତୁର୍ଲାପଡ଼ାଠାରେ ନିର୍ମାଣାଧୀନ ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର। ଜିଲ୍ଲାପାଳ ନିଜେ ପ୍ରକଳ୍ପ ସ୍ଥଳରେ ପହଞ୍ଚି ଆବାସ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ହିତାଧିକାରୀଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଗସ୍ତ ସମୟରେ ଗୋଲାମୁଣ୍ଡା ବିଡିଓ ତ୍ରିପୁର ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାୟକ, ଗ୍ରାମୀଣ ଗୃହ ଯୋଜନାର ଜିଲ୍ଲା ଏପିଡି ଅମୂଲ୍ୟ ବାଉଳ, ଏଇଇ ମନୋରଞ୍ଜନ ମହାପାତ୍ର, ପ୍ରକଳ୍ପର ନୋଡାଲ ଅଧିକାରୀ ଚିତ୍ତରଞ୍ଜନ ଜେନା, ଏପିଓ କ୍ଷେତ୍ରମୋହନ ମାଝୀ, ପିଇଓ ଅଲେଖ ସା, ବିପିସି ମଧୁସୂଦନ ସାହୁ, ଦିନେଶ ପାନକା, ଚିନ୍ମୟ କୁମାରଙ୍କ ସମେତ ବହୁ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ। ଗସ୍ତ ଅବସରରେ ଜିଲ୍ଲାପାଳ ନିର୍ମାଣାଧୀନ ‘ଅନ୍ତ୍ୟୋଦୟ ଗୃହ’ର ହିତାଧିକାରୀଙ୍କୁ ଭେଟି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ସିଧାସଳଖ ପଚାରି ବୁଝିଥିଲେ। ଏଥିସହ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ହିତାଧିକାରୀଙ୍କ ସ୍ଥାୟୀ ଜୀବିକା ନିର୍ବାହ ଓ ଆୟ ବୃଦ୍ଧି ପାଇଁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ତଦାରଖ କରିଥିଲେ। ଘର ନିର୍ମାଣ ସହିତ ହିତାଧିକାରୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ବାଗମୁଣ୍ଡାଠାରେ ‘ଅନ୍ତ୍ୟୋଦୟ ନଗର’ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ଏକ ଏକର ଜମି ଯୋଗାଇ ଦିଆଯାଇଛି। ଏହି ଜମିରେ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୧୩ ଜଣ ନିରାଶ୍ରୟା ବିଧବା ମହିଳାଙ୍କୁ ଥଇଥାନ କରାଯାଉଛି। ଏହି ପ୍ରକଳ୍ପରେ କେବଳ ବାସଗୃହ ନିର୍ମାଣ ନୁହେଁ, ବରଂ ମହିଳାମାନଙ୍କୁ ସମ୍ମାନଜନକ ଜୀବନଧାରଣ, ସ୍ଥାୟୀ ଜୀବିକାର ସୁଯୋଗ ଏବଂ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅଞ୍ଚଳର ସୁଚିନ୍ତିତ ଓ ବ୍ୟବସ୍ଥିତ ବିକାଶ ସହ ଆଗାମୀ ଦିନରେ ଅନ୍ୟାନ୍ୟ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ସମ୍ପର୍କରେ ମତ ରଖି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କହିଛନ୍ତି ଯେ, ମୁରବିବିହୀନ ପରିବାରଗୁଡ଼ିକର ଥଇଥାନ ଓ ସ୍ୱାବଲମ୍ବନ ଉଦ୍ଦେଶ୍ୟରେ ‘ଅନ୍ତ୍ୟୋଦୟ ନଗର’ ନିର୍ମାଣ ପାଇଁ ସେ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜିଲ୍ଲାପାଳ ସଚିନ ପାୱାର ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଆଗ୍ରହ ଓ ସହଯୋଗରେ ଏହି ପ୍ରକଳ୍ପ ଆଗକୁ ବଢ଼ୁଥିବା ସେ ପ୍ରକାଶ କରିଛନ୍ତି। ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଅସହାୟ ମହିଳାଙ୍କୁ ଆଶ୍ରୟ ପ୍ରଦାନ ସହ ସେମାନଙ୍କ ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିବା। ଏହାର ସଫଳ ରୂପାୟନ ହେଲେ ‘ଅନ୍ତ୍ୟୋଦୟ ନଗର’ ଏକ ଆଦର୍ଶ ଥଇଥାନ ମଡେଲ ଭାବେ ପରିଚିତ ହୋଇପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *