ଚାଷ ଜମିରୁ ଯୁବକଙ୍କ ମୁଣ୍ଡ ବିହିନ ମୃତଦେହ ଠାବ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଲଡୁଗାଁ-ସୁପାଡ ରାସ୍ତା ପାର୍ଶ୍ବରେ ଥିବା ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି। ଯୁବକଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିବା ପରେ ମୃତଦେହକୁ ଚାଷ ଜମିରେ ଫିଙ୍ଗି ଦେଇଥିବା ନେଇ ସାଧାରଣରେ ଦୃଢ଼ ସନ୍ଦେହ ପ୍ରକାଶ ପାଇଛି। ଖବର ପାଇ କୋକସରା ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ରିପୋର୍ଟ ଲେଖାହେବା ବେଳକୁ ମୃତ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ। ସନ୍ଧ୍ୟା ହୋଇଯାଇଥିବାରୁ ଆଜି ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବପର ହୋଇନଥିବା ଜଣାପଡିଛି। ଆସନ୍ତାକାଲି ସକାଳେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଶବ ଜବତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଯୁବକଙ୍କ ପରିଚୟ କଣ, ହତ୍ୟା ନାଁ ଅନ୍ୟ କିଛି କାରଣ ରହିଛି ତା’ ପଛର ପ୍ରକୃତ କାରଣ ଏବଂ ଏହି ଜଘନ୍ୟ କାଣ୍ଡରେ କାହା କାହାର ସମ୍ପୃକ୍ତି ରହିଛି, ସେ ସବୁର ପରଦା ତଦନ୍ତ ପରେ ହିଁ ହଟିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *