ମିଳୁନି କଟା ମୁଣ୍ଡ ; ପୋଲିସ ପାଇଁ ଚ୍ୟାଲେଞ୍ଜ ରହସ୍ୟ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ ରାସ୍ତାର ବିଅରବାର ନିକଟସ୍ଥ ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ କମ୍ପନ ସୃଷ୍ଟି କରିଛି। ଏହା ଏକ ଅତ୍ୟନ୍ତ ଜଘନ୍ୟ ଓ ପାଶବିକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଶୁକ୍ରବାର ଘଟଣା ସ୍ଥଳରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଓ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ସିତା ଆଡେପୁ ପହଞ୍ଚି ଥିଲେ। ଏବଂ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କୁ ଯୋରଦାର କରିଥିଲେ। ତେବେ ମୃତ ଯୁବକ ଜଣକ ଲଡୁଗାଁ ଗ୍ରାମର ରାଜୁ ବାଗ ବୋଲି ତାଙ୍କର ପରିବାର ଲୋକେ ଚିହ୍ନଟ କରିଥିବାବେଳେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଅଭିଯୋଗ ଅନୁଯାୟୀ, ଲଡୁଗାଁ ଗ୍ରାମର ରାଜୁ ବାଗ ଗତ ଦୁଇ ଦିନ ହେବ ଘରକୁ ଫେରି ନଥିବା ବେଳେ ତାଙ୍କର ଶାରୀରିକ ଗଠନ ଓ ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ପରିବାର ଲୋକେ ରାଜୁ ବୋଲି ଚିହ୍ନଟ କରିଛନ୍ତି। ଏବଂ ତାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ପୋଲିସ ମଧ୍ୟ ପ୍ରାଥମିକ ତଦନ୍ତ ଓ ମୃତଦେହଟି ମୁଣ୍ଡବିହୀନ ଥିବାରୁ ହତ୍ୟା ସନ୍ଦେହ କରୁଛି। ଆଜି ଦିର୍ଘ ସମୟର ଧରି ପୋଲିସ କଟାମଣ୍ଡ ଖୋଜାଖୋଜି କରିଥିବାବେଳେ ସାଇଣ୍ଟିଫିକ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି। ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ବହୁ ଖୋଜାଖୋଜି ପରେ ମଧ୍ୟ କଟା ମୁଣ୍ଡ ଖୋଜିବାରେ ପୋଲିସ ସଫଳ ହୋଇପାରି ନାହିଁ। କିମ୍ବ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଧରିପାରି ନାହିଁ। ଅନ୍ୟପଟେ ଯେ ପର୍ଯ୍ୟନ୍ତ କଟା ମୁଣ୍ଡ ମିଲି ନାହିଁ ସେପର୍ଯ୍ୟନ୍ତ ଶବ ଉଠାଇ ଦେବୁ ନାହିଁ ବୋଲି ମୃତକଙ୍କ ପରିବାର ଲୋକେ ଅଡ଼ି ବସିଥିବା ବେଳେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଦୀର୍ଘ ସମୟ ପରେ ଚାଷ ଜମିରୁ ମୃତଦେହ ଉଦ୍ଧାର କରି ଭବାନୀପାଟଣା କୁ ପଠାଇ ଦେଇଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ, ଅଗ୍ନିଶମ ବାହିନୀର ସାହାଯ୍ୟରେ ନିକଟସ୍ଥ ନାଲାରେ ଖୋଜାଖୋଜି ଯୋରଦାର କରିଛି। ଏହି ଜଘନ୍ୟ ହତ୍ୟାକାଣ୍ଡ କୁ ଦୁଇ ଦିନର ସମୟ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀ କିଏ ଏବଂ ଏହାର ପ୍ରକୃତ କାରଣ କ’ଣ, ତାହା ପଦ୍ଧାକୁ ଆସିନାହିଁ। କଟା ମୁଣ୍ଡ ଖୋଜିବା ଏବଂ ରହସ୍ୟ ଉନ୍ମୋଚନ କରିବା ଏବେ କୋକସରା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି।

Leave a Reply

Your email address will not be published. Required fields are marked *