ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ ପାତ୍ର) : ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ସହ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୨୭ଟି ଜିଲ୍ଲାରେ ୬୩୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମେତ ସମୁଦାୟ ୩୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କଳାହାଣ୍ଡି ଜିଲ୍ଲାର ୧୬ଟି ବିଦ୍ୟାଳୟ ସାମିଲ ହୋଇଥିବା ବେଳେ ସେଥିମଧ୍ୟରୁ ଲାଞ୍ଜିଗଡ଼ ବ୍ଲକର ୫ଟି ବିଦ୍ୟାଳୟ ସ୍ଥାନ ପାଇଛି। ଏହା ଲାଞ୍ଜିଗଡ଼ ଅଞ୍ଚଳର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ ବୋଲି ବିବେଚନା କରାଯାଉଛି। ଲାଞ୍ଜିଗଡ଼ ବ୍ଲକର ମନୋନୀତ ୫ଟି ବିଦ୍ୟାଳୟ ହେଲା ବିଜେପୁର, ମାଳିଯୁବାଙ୍ଗ, ବେଢ଼ାଗାଁ, ବାତେଲିମା ଓ ଲାଖବାହାଲି। ଏହି ଅବସରରେ ବ୍ଲକର ଏହି ୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୃଥକ୍ ପୃଥକ୍ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆୟୋଜିତ ହୋଇଥିଲା। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ବେଢ଼ାଗାଁଠାରେ ଆୟୋଜିତ ଉତ୍ସବରେ ଲାଞ୍ଜିଗଡ଼ ତହସିଲଦାର ଡଃ ବନମାଳୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ ଉପସ୍ଥିତ ରହି ଶିକ୍ଷାର ଉନ୍ନତିକରଣ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ମଣ୍ଡଳ ସଭାପତି ତଥା ସାଂସଦ ପ୍ରତିନିଧି ତୁଳସୀ ମାଝୀ, ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ, ବେଢ଼ାଗାଁ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଜନ୍ମେଜୟ କୁମାର, ସ୍ଥାନୀୟ ସରପଞ୍ଚ ସୁଭାସିନୀ ମାଝୀ, ସମିତି ସଭ୍ୟା ମୁନି ମାଝୀ, ବିଶ୍ୱନାଥପୁର ମଣ୍ଡଳ ଉପସଭାପତି ମିଳନ କୁମାର ମହାପାତ୍ର, ସମ୍ପାଦକ ଗୌତମ ନାଗ, ସମାଜସେବୀ କିଶୋର ହରପାଲ, ଗୌର ଚନ୍ଦ୍ର ରାଜୁ, ଚନ୍ଦ୍ରମଣି ହରପାଲ, ନିରଞ୍ଜନ ବିଭାର ପ୍ରମୁଖ ମଞ୍ଚାସୀନ ରହିଥିଲେ।ସେହିପରି ହରେକୃଷ୍ଣପୁରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡଃ ହୃଷୀକେଶ ନାଏକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସୁବାସ ଅଗ୍ରୱାଲ, ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତି ସଭ୍ୟ ଗୋବିନ୍ଦ ନାଏକ, ଶିକ୍ଷକ ଲବ ଦୁର୍ଗା, ଚମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ବିନୋଦ ମହାରଣା, ପୂର୍ବତନ କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ହରେକୃଷ୍ଣପୁର କ୍ଲଷ୍ଟର ସଂଯୋଜକ ବିଭୁତି ଭୂଷଣ ତାଣ୍ଡି ପରିଚାଳନା କରିଥିଲେ।ସେହିପରି ମାଳିଯୁବାଙ୍ଗ, ବିଜେପୁର ଓ ଲାଖବାହାଲିଠାରେ ସାଂସଦଙ୍କ ପ୍ରତିନିଧି ନରେନ୍ଦ୍ର ବେହେରା, ନିରଞ୍ଜନ ବିଭାର, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କେଶରୀ ଦୁର୍ଗା, କମଳା ପାତ୍ର, ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ଓ ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ଏକଜୁଟ ସଦସ୍ୟ ଡମେ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଘାଷି ମାଝୀ, କାହ୍ନୁ ଚରଣ ବେହେରା, ସଞ୍ଜିବ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥିମାନେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଗ୍ରାମାଞ୍ଚଳରେ ଏହି ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବା ଦ୍ୱାରା ତୃଣମୂଳ ସ୍ତରରେ ଶିଶୁମାନଙ୍କୁ ଉନ୍ନତ ଓ ଆଧୁନିକ ମୌଳିକ ଶିକ୍ଷା ମିଳିପାରିବ ବୋଲି ସେମାନେ କହିଥିଲେ। ଲାଞ୍ଜିଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏଠାରେ ଶିକ୍ଷାର ସୁଯୋଗକୁ ଅଧିକ ସୁଗମ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷାଗତ ପରିବେଶ ପାଇବା ସହ ପାଠପଢ଼ା ପ୍ରତି ଅଧିକ ଆଗ୍ରହୀ ହେବେ ବୋଲି ଆଶା କରାଯାଉଛି। ଏଥିସହ ଅଭିଭାବକମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇବା ସହ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏଥିରେ ଶିକ୍ଷା ବିଭାଗର କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।ବେଢ଼ାଗାଁ କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଢ଼ାଗାଁର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଯୁବ ସାମ୍ବାଦିକ ମଳୟ ବେନୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ସାନ ମାଝୀ, ଫୁଲସର ହରିଜନ, ଉମାଶଙ୍କର ରାଜୁ, ଗୋକୁଳ ବେହେରା, ରମେଶ ମାଝୀ, ଦୀନେଶ ବେହେରା (ମେଟ୍), ରଘୁ ବେହେରା, ଦୀନେଶ ମହାରଣା, ଅନନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।
