ପୁଣି କୋକସରା ଅଞ୍ଚଳରେ ସନ୍ଦେହ ଜନକ ମୃତଦେହ ଠାବ, ହତ୍ୟା ଅଭିଯୋଗ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରୁ ପୁଣି ଏକ ସନ୍ଦେହଜନକ ମୃତଦେହ ଠାବ। କେନାଲ୍ ଗେଟ୍‌ରୁ ମିଳିଲା ଯୁବକଙ୍କ ଝୁଲନ୍ତା ଶବ; ପରିବାର ପକ୍ଷରୁ ହତ୍ୟା ଅଭିଯୋଗ। ମିଳିଥିବା ସୂଚନା ମୁତାବକ, ମୃତ ଯୁବକ ଜଣକ ହେଲେ ମତୁଆଲଗୁଡା ଗ୍ରାମର ଯୁଗସନ କରୁଆଁଙ୍କ ପୁଅ ଭାରତ କରୁଆଁ। ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଆଉ ଫେରି ନଥିଲେ। ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଖୋଜାଖୋଜି କରି ନଥିଲେ। ହେଲେ ଆଜି ସକାଳେ ମୋଟେର ଫାଣ୍ଡି ଅଧୀନ ଜଳତାମୁଣ୍ଡା ବାମ କେନାଲ୍ ଡିଭିଜନ ୩୨ ନମ୍ବର ଗେଟ୍‌ରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଖବର ପାଇ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକେ ଦୃଢ଼ ଅଭିଯୋଗ କରିଛନ୍ତି। କେହି ଦୁର୍ବୁତ୍ତ ଯୁବକଙ୍କୁ ମାରିଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଅଭିଯୋଗ କରିବା ସହ, ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *