ସମ୍ପଦରେ ସମୃଦ୍ଧ, ବିକାଶରେ ପଛୁଆ ଥୁଆମୂଳ ରାମପୁର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ।ବଣପାହାଡ ଘେରା ଏଇ ଅଞ୍ଚଳରେ ଭରି ରହିଛି ପ୍ରାକୃତିକ ସମ୍ପଦର ଭଣ୍ଡାର। ଏଇ ଅଞ୍ଚଳର ମାଟିତଳେ ଖଚିତ ହୋଇ ରହିଛି ନୀଳା, ମାଣିକ ଭଳି ରତ୍ନ ପଥର। ଆଲୁମିନିୟମ ଏବଂ ବକ୍ସାଇଟ ଭଳି ବଡବଡ ଖଣିଜ ସମ୍ପଦ ପୂର୍ଣ୍ଣ ମାଳି ପର୍ବତ। ଯେଉଁଥିରେ ବଫଲା ମାଳି, ତିଜ୍ ମାଳି, କୁଟ୍ରୁ ମାଳି, ଖଣ୍ଡୁଆଳ ମାଳି, କେଲୁଆ ଚମ୍ପାବନ ମାଳି ପ୍ରମୁଖ। କର୍ଲାପାଟ ଅଭୟାରଣ୍ୟ ସହିତ ବେଣାଖମାର, ନେହେଲା, ସିଂଗାରୀ ଭଳି ଅନେକ ବିସ୍ତୃତ ଜଙ୍ଗଲ ସମ୍ପଦ ଭରି ରହିଛି। ଯେଉଁଠୁ ଇନ୍ଦ୍ରାବତୀ ଏବଂ ନାଗାବଳୀ ଭଳି ବଡବଡ ନଦୀ ଉପନଦୀର ଉଦ୍ଗମ ହୋଇଛି। ଯେଉଁ ଇନ୍ଦ୍ରାବତୀ ନଦୀ ଯୋଗୁଁ ଆଜି ଅଞ୍ଚଳରେ ନିର୍ମାଣ ହୋଇଛି ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ବିସ୍ତୀର୍ଣ୍ଣ ଜଳଭଣ୍ଡାର। ଗୋଟିଏ ପଟରେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ଏବଂ ଅନ୍ୟ ପଟରେ ବିସ୍ତୀର୍ଣ୍ଣ ଜଳଭଣ୍ଡାର। ତଥାପି ଅଞ୍ଚଳରେ ଦେଖିବାକୁ ମିଳେନି ଆଶାନୁରୂପ ବିକାଶ।ଯେଉଁ ଜଳଭଣ୍ଡାର ପାଇଁ ଅନେକ ପରିବାର ନିଜର ଭିଟାମାଟି ଛାଡିବାକୁ ପଡିଲା। ସାଗମାଛ ଦରରେ ନିଜର ଘରଦ୍ଵାର ଜମିବାଡ଼ି ଚାଲିଗଲା। ସର୍ବସ୍ବାନ୍ତ ହୋଇ ବିସ୍ଥାପିତ ହେବାକୁ ପଡିଲା। ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରତିଶ୍ରୁତିର ଲମ୍ବା ତାଲିକା ଆଜି ବି ସେଇ ପ୍ରତିଶ୍ରୁତି ଏକ କଳାକାଗଜର ଲେଖନୀରେ ଅଦୃଶ୍ୟ। ଦୁର୍ବିସହ ହୋଇପଡିଛି ବିସ୍ଥାପିତଙ୍କ ଜୀବନ। ଜଳବନ୍ଦୀ ହୋଇ ରହିଗଲା ଅନେକ ଗାଁ। ଯେଉଁଠି ଆଜିବି ବିକାଶ ଅପହଞ୍ଚ ହୋଇପଡିଛି। ସେଠିକାର ବାସିନ୍ଦାମାନେ ନିଜ ପରିଚୟ ଟିକକ ପାଇବା ପାଇଁ ସଂଗ୍ରାମ କରିକରି ଥକି ଗଲେଣି। ଠିକ୍ ସେଇପରି ବକ୍ସାଇଟ ପୂର୍ଣ୍ଣ ବଫଲା ମାଳି ଖଣିଖନନ କରାଯିବା ନେଇ ସରକାର ଉତ୍କଳ ଆଲୁମିନା କମ୍ପାନୀ ହାତକୁ ଟେକିଦେଲେ। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ତିଆରି ହେଲା ଫର୍ଦ୍ଦ ଫର୍ଦ୍ଦ ପ୍ରତିଶ୍ରୁତି। ବିଶେଷ କରି ଖଣି ପ୍ରଭାବିତ ଅଞ୍ଚଳ ବାସୀଙ୍କ ସମୂହ ବିକାଶ ସହିତ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ଉଲ୍ଲେଖ ରହିଛି। ହେଲେ ଅଞ୍ଚଳ ବାସୀଙ୍କୁ ମିଳିଛି ଉନ୍ନତିର ଲଲିପପ୍। ଖଣି ଖନନ ହେଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ରୋଜଗାରର ସାଧନ ଯୋଗାଇଦେବା ସହିତ ସ୍ଥାନୀୟ ଅଞ୍ଚଳର ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରିବାର ସୁଯୋଗ ପ୍ରଦାନ କରାଯିବା ଭଳି ପ୍ରତିଶ୍ରୁତି ରହିଥିଲା। ବର୍ଷକୁ ବର୍ଷ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ଅଞ୍ଚଳର ବିକାଶ ଓ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖସଡା ପ୍ରସ୍ତୁତ ହେଉଛି। ହେଲେ ଏସବୁ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। କେବଳ ପ୍ରହସନ ପାଲଟିଛି ଯୋଜନା। କୋଟି କୋଟି ଟଙ୍କା ହରିଲୁଟ୍ ହେଲାଭଳି ଏସବୁ ଉନ୍ନୟନ ଯୋଜନା। ଅନ୍ୟ ପଟରେ ସରକାର ଗୋଟାଏ ପରେ ଗୋଟାଏ ବକ୍ସାଇଟ ମାଳିକୁ ବଡବଡ କମ୍ପାନୀକୁ ଦେଇ ଚାଲିଛନ୍ତି। ଯେଉଁଠି ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସ୍ବାର୍ଥ ବଳି ପଡିଯାଉଛି। ନିଜର ଜୀବନ ଜୀବିକାର ଏକମାତ୍ର ସାଧନକୁ ହରାଇବାକୁ ପଡୁଛି। ପୁରୁଷ ପୁରୁଷ ଧରି ରହି ଆସୁଥିବା ଏହି ମୂଳ ନିବାସୀ ଆଦିବାସୀ ଆଜି ଅସହାୟ। ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ସମସ୍ତ ପରିବାର ସ୍ବାବଲମ୍ବୀ ହେଲେ ହିଁ ବିକାଶର ପରିକଳ୍ପନା ସାର୍ଥକ ହେବ। ଆଜିବି ଗରିବ ପରିବାର ନିଜ କୁଟୁମ୍ବ ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛି। ସରକାରୀ ଯୋଜନା ଗୁଡିକ ପ୍ରହସନ ପାଲଟିଛି।ଏପଟେ ବିଭିନ୍ନ କାରଣରୁ ଦିନ କୁ ଦିନ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି। କଳାହାଣ୍ଡିର କାଶ୍ମୀର ଭାବେ ପରିଚିତ ଏଇ ଅଞ୍ଚଳ ନିଜର ପରିଚୟ ହଜାଇବାକୁ ବସିଥିବା ବେଳେ ଭବିଷ୍ୟତରେ ଏକ ମରୂ ଉପତ୍ୟକା ପାଲଟିବାର ଆଶଙ୍କା ରହିଛି। ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ଚାଲିଛି ରୀତିମତ ସଂଘର୍ଷ। ରାଜନୀତି ଏବଂ କୂଟନୀତିର ମାୟାଜାଲରେ ଛନ୍ଦି ହେଇ ଛଟପଟ ଏଠିକାର ଏଇ ସରଳ ମଣିଷ। ସରକାରୀ ଶିକ୍ଷା ବ୍ୟବସ୍ଥା ଏଠି କେବଳ ପ୍ରହସନ। ଅଭିଭାବକ ତଥା ଗ୍ରାମବାସୀ ଯଦି ପ୍ରକୃତରେ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା କିପରି ଚାଲୁଛି ? ଅନୁଧ୍ୟାନ କଲେ ସବୁ ଜଣାପଡୁଛି ହେଲେ କିଛିତ କାରଣ ରହୁଛି ଯେଉଁଥିପାଇଁ ଦୃଢ ପ୍ରତିବାଦ ପାଇଁ ପଛଘୁଞ୍ଚା ଦେବାକୁ ପଡୁଛି। ଏପରି ଅବ୍ୟବସ୍ଥା ଭିତରେ ବି ଶହଶହ ଛୁଆ ଆଜି ଶିକ୍ଷିତ ଯୁବକ ଯୁବତୀର ପରିଚୟ ପାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ପ୍ରାୟତଃ ରୋଜଗାରର ସାଧନ ଅଭାବରୁ ବେକାରୀ ଜୀବନ କାଟୁଛନ୍ତି। ସତେ ଯେମିତି ଶିକ୍ଷା ଏଠାରେ ମୂଲ୍ୟହୀନ ହୋଇପଡିଛି। ଶିକ୍ଷିତ ହେଉ କି ଅର୍ଦ୍ଧ ଶିକ୍ଷିତ ଅବା ଅଶିକ୍ଷିତ ପେଟ ପାଇଁ କୌଣସି ପାର୍ଥକ୍ୟ ଜଣାପଡୁନି, ଯିବାକୁ ପଡୁଛି ବାହାର ରାଜ୍ୟକୁ ଦାଦନ ଖଟି। ଏତେ ସବୁ ଖଣି ରହିଛି ଅଥଚ ଏହି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାର ନା ଗନ୍ଧ ନାହିଁ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସମ୍ପୁର୍ଣ୍ଣ ଅବହେଳିତ। ପ୍ରାକୃତିକ ପରିବେଶ ଭିତରେ ଥିବା ଅନେକ ପର୍ଯ୍ୟଟନ ସ୍ଥଳ ବିକାଶ ପାଇଁ ଚିତ୍କାର କରୁଛି ହେଲେ ସବୁ ପରିହାସ ଭଳି ମନେହୁଏ। ସିନ୍ଦେର୍ ଝରନ୍, ବଡ ସିନ୍ଦେର୍ଘୁ ମର୍ କିଆଙ୍ଗ ଏବଂ କୁଆଙ୍ଗ ଭଳି ଅନେକ ଜଳପ୍ରପାତ ରହିଛି ହେଲେ ଏସବୁର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରଶାସନ ବିଫଳ। ହେଲୋ ପଏଣ୍ଟ ଭଳି ଭୂସୌର୍ଗିକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଏବଂ ବିସ୍ତୀର୍ଣ୍ଣ ଇନ୍ଦ୍ରାବତୀ ଜଳଭଣ୍ଡାର ରହିଛି ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳି ଇକୋ ଟୁରିଜମ୍ ନିର୍ମାଣ କରାଯିବା ନେଇ ପ୍ରଶାସନର ତତ୍ପରତା ଏବେ ଶିଥିଳ ଅବସ୍ଥାରେ। କେବଳ ଭାଷଣ ଛଡା ଆଉ କିଛି ନୁହଁ। ପର୍ଯ୍ୟଟନ ସ୍ଥାନ ଗୁଡିକର ବିକାଶର ସ୍ବରୂପ କିପରି ହେବା ଆବଶ୍ୟକ ପଡୋଶୀ ଜିଲ୍ଲାର ଏଭଳି ସ୍ଥାନ ଗୁଡିକ ଏକ ଉଦାହରଣ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଅଞ୍ଚଳର ବିକାଶ ମଧ୍ୟ ସମ୍ଭବ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ। ନାଗରିକର ମୌଳିକ ଅଧିକାର ପାଇବା ପାଇଁ ସରଳ ମଣିଷ ଆଜି ବିକଳ ହୋଇପଡିଛି। ଅସହାୟର କରାଳ ଅନ୍ଧକାରରେ ଅନିଶ୍ଚିତ ହୋଇପଡିଛି ଭବିଷ୍ୟତ। ନିଜ ନିଜ ସ୍ବାର୍ଥ ପାଇଁ ଲଢେ଼ଇ କରୁଥିବା ବେଳେ ଏଠାରେ ବଳୀ ପଡୁଛି ଅଞ୍ଚଳ। କୁମ୍ଭୀର କାନ୍ଦଣା କାନ୍ଦି ନେତା ଏଠି ଅଭିନେତାର ଚରିତ୍ରରେ ପାରଙ୍ଗମ। ଆଉ ଏପଟେ ସାବତ ମାଆର ଚରିତ୍ରରେ ପ୍ରଶାସନ।

Leave a Reply

Your email address will not be published. Required fields are marked *