ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ଝରୀଗାଁ ବ୍ଲକର ଦୁଇଜଣ ସହକାରୀ ଶିକ୍ଷକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଶିକ୍ଷକମାନେ ହେଲେ କେବିଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅନ୍ତରାମ ନାୟକ ଏବଂ ବୋଡୋନି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ କୃତିବାସ ବାଘ। ଉଭୟେ ବିଏଲଓ ଭାବେ କାର୍ଯ୍ୟରତ ଥିଲେ। ଅଭିଯୋଗ ଅନୁସାରେ, ୩ ଅଗଷ୍ଟ ସକାଳ ୧୦ଟା ସୁଦ୍ଧା ଅନ୍ତରାମ ନାୟକ କେବଳ ୨୩ଟି ଏବଂ କୃତିବାସ ବାଘ ମାତ୍ର ୧ଟି ନୋଟିସ ବଣ୍ଟନ କରିଥିଲେ। ବାରମ୍ବାର ନିର୍ଦ୍ଦେଶ ଓ ଶୋ-କଜ୍ ନୋଟିସ ଦିଆଯାଇଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟରେ ସୁଧାର ଆସିନଥିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ଉଭୟଙ୍କ ମୁଖ୍ୟାଳୟ ଝରୀଗାଁ ତହସିଲ କାର୍ଯ୍ୟାଳୟ ରହିବ ଏବଂ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ସେମାନଙ୍କୁ ନିୟମ ଅନୁଯାୟୀ ଶେଷ ଦରମାର ୫୦ ପ୍ରତିଶତ ଜୀବିକା ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
