ପିଏମ୍ ଶ୍ରୀ ସ୍କୁଲ୍‌ରେ ତାଳା : ଶିକ୍ଷା ବିଭାଗର ନିଷ୍ପତ୍ତିକୁ ଏସ୍ଏମସି ଓ ଗ୍ରାମବାସୀଙ୍କ ବିରୋଧ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ବଡ଼କର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ବିଦ୍ୟାଳୟରୁ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନ୍‌ରେ ପଠାଯିବା ନିଷ୍ପତ୍ତିକୁ ବିରୋଧ କରି ଆଜି ବିଦ୍ୟାଳୟ ଗେଟ୍‌ରେ ତାଳା ମାରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ। ଶିକ୍ଷକ ଫେରାଇ ଆଣିବା ଦାବିରେ ସମସ୍ତେ ଏବେ ଧାରଣାରେ ବସିଛନ୍ତି।ଅଭିଯୋଗ ଅନୁସାରେ, ଟିଜିଟି ସାଇନ୍ସ ଅବିରାମ ଭୋଇ ଏବଂ ଟିଜିଟି ଆର୍ଟ୍ସ କୃଷ୍ଣଚନ୍ଦ୍ର କୁମାରଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‌ରେ ପଠାଯାଇଥିଲା, ଯଦିଓ ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ପରବର୍ତ୍ତୀ ସମୟରେ ଫେରିଆସିଛନ୍ତି। ହେଲେ ଏବେ ପୁଣି ଦୁଇ ଜଣ ଅଭିଜ୍ଞ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କିମ୍ବା ଡେପୁଟେସନ୍‌ରେ ପଠାଯିବା ଖବର ପିଲାମାନଙ୍କ ଭବିଷ୍ୟତ ଓ ପାଠପଢ଼ାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଗ୍ରାମବାସୀ ଓ ଅଭିଭାବକମାନେ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ଏହି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଠପଢ଼ା ଦାୟିତ୍ୱ ଥିବା ବେଳେ ବାରମ୍ବାର ଶିକ୍ଷକଙ୍କୁ ଡେପୁଟେସନ୍‌ରେ ପଠାଯିବା ଦ୍ୱାରା ପାଠପଢ଼ାରେ ଘୋର ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ସେଥିପାଇଁ ତୁରନ୍ତ ଏହି ଡେପୁଟେସନ୍ ଆଦେଶ ବାତିଲ କରିବାକୁ ଅଭିଭାବକ ମାନେ ଜିଦ୍ ଧରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *