ସମ୍ବାଦପତ୍ର କେବଳ ଘଟଣାପ୍ରବାହର ବିବରଣୀ ନୁହେଁ, ଏହା ହେଉଛି ସମାଜର ଦର୍ପଣ ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଭାବେ ପାଳନ କରାଯିବା ଅବସରରେ, ଆମେ ଓଡ଼ିଶାର ସାମ୍ବାଦିକତା ଇତିହାସର ସେହି ଅଭୁଲା ଅଧ୍ୟାୟକୁ ସ୍ମରଣ କରୁ, ଯାହା ଓଡ଼ିଆ ଭାଷା, ସଂସ୍କୃତି ଓ ସ୍ୱାଭିମାନକୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ୧୮୬୬ ମସିହା ଅଗଷ୍ଟ ୪ ତାରିଖ, ଓଡ଼ିଆ ଜାତିର ଇତିହାସରେ ଏକ ସୁବର୍ଣ୍ଣ ଅକ୍ଷରରେ ଲେଖା ହୋଇଥିବା ଦିନ। ଏହି ଦିନ କର୍ମବୀର ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ନିରବଚ୍ଛିନ୍ନ ଉଦ୍ୟମରେ, କଟକ ପ୍ରିଣ୍ଟିଂ କମ୍ପାନିରୁ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’। ଦୁର୍ଭିକ୍ଷ’ର କରାଳ ଛାୟା ମଧ୍ୟରେ ଜନ୍ମନେଇଥିବା ଏହି ପତ୍ରିକା କେବଳ ଖବର ପରିବେଷଣରେ ସୀମିତ ନଥିଲା; ବରଂ ବିପନ୍ନ, ବାସହୀନ ଓ ଶୋଷିତ ମଣିଷର ସ୍ୱର ପାଲଟିଥିଲା। ତତ୍କାଳୀନ ସମୟରେ ଓଡ଼ିଆ ଭାଷାର ସୁରକ୍ଷା ଏବଂ ସାମାଜିକ ସଂସ୍କାର ପାଇଁ ‘ଉତ୍କଳ ଦୀପିକା’ ସରକାରଙ୍କ ସମ୍ମୁଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲା। ଗୌରୀଶଙ୍କର ରାୟ ପ୍ରକାଶନ ଆରମ୍ଭରୁ ୧୯୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୫୦ ବର୍ଷ ଧରି ଏହାର ସମ୍ପାଦକ ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିଲେ। ନିରପେକ୍ଷତା, ନିର୍ଭୀକତା ଏବଂ ଜନସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେ ସାମ୍ବାଦିକତାର ଯେଉଁ ମୂଲ୍ୟବୋଧ ସୃଷ୍ଟି କରିଥିଲେ, ତାହା ଆଜି ମଧ୍ୟ ଅନୁକରଣୀୟ। ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲେ ହେଁ, ଓଡ଼ିଆ ସାମ୍ବାଦିକତାର ମୂଳଦୁଆ ସ୍ଥାପନରେ ଏହାର ଅବଦାନ ଅତୁଲନୀୟ। ଆଜି ଓଡ଼ିଶାରେ ୨୦୦ରୁ ଊର୍ଦ୍ଧ୍ୱ ଦୈନିକ, ସାପ୍ତାହିକ ଓ ପାକ୍ଷିକ ପତ୍ରପତ୍ରିକା ପ୍ରକାଶ ପାଉଛି। ଡିଜିଟାଲ ଓ ଇଲେକ୍ଟ୍ରୋନିକ୍ସ ମିଡିଆର ସଂପ୍ରସାରଣ ଯୋଗୁଁ ଖବର ପହଞ୍ଚାଇବାର ଗତି ବୃଦ୍ଧି ପାଇଛି। ମାତ୍ର ଏହି ବୈଷୟିକ ଅଗ୍ରଗତି ମଧ୍ୟରେ ଗୌରୀଶଙ୍କର ରାୟ ସ୍ଥାପନ କରିଥିବା ନୈତିକତା ଓ ସାମାଜିକ ଦାୟିତ୍ୱବୋଧର ଧାରା କେତେଦୂର ସୁରକ୍ଷିତ, ତାହା ଆଜିର ଦିନରେ ଏକ ବଡ଼ ପ୍ରଶ୍ନ। ଓଡ଼ିଆ ସାମ୍ବାଦିକତା ଦିବସ କେବଳ ଅତୀତର ସ୍ମୃତିଚାରଣର ଦିବସ ନୁହେଁ, ଏହା ହେଉଛି ଆତ୍ମସମୀକ୍ଷାର ସମୟ। ଶସ୍ତା ପ୍ରସାର ଓ ବ୍ୟବସାୟିକ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରହି ସତ୍ୟ, ସତ୍ୟତା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ଆଗରେ ରଖିବା ହିଁ ପ୍ରକୃତ ଦାୟିତ୍ୱବୋଧ ହେବ।
