ଦୈନିକ ଚାଲିବ ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ

ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ କଲେ ଶୁଭାରମ୍ଭ; ଗୁଜୁରାଟ ସହ ଓଡ଼ିଶାର ସମ୍ପର୍କ ଆହୁରି ସୁଦୃଢ଼ ହେବ

ବ୍ରହ୍ମପୁର ରେଳ ଷ୍ଟେସନର ବିଶ୍ୱସ୍ତରୀୟ ରୂପାନ୍ତର ପାଇଁ ଖର୍ଚ୍ଚ ହେବ ୩୦୦ କୋଟି ଟଙ୍କା

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା): ଓଡ଼ିଶାର ରେଳ ଯୋଗାଯୋଗ ଓ ବିକାଶ ଯାତ୍ରାରେ ଆଜି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ରେଶମ ସହର ବ୍ରହ୍ମପୁରରୁ ଗୁଜୁରାଟର ଉଧନା (ସୁରଟ) ପର୍ଯ୍ୟନ୍ତ ଚଳାଚଳ କରୁଥିବା ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ ଭାବେ ଯାତ୍ରା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ, ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ଲୋକଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ।

ସେ କହିଥିଲେ ଯେ, ଗୁଜୁରାଟର ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ବହୁ ପୁରୁଣା ଓ ନିବିଡ଼ । ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ, କାରିଗର ଓ ବ୍ୟବସାୟୀ ସୁରଟର ଟେକ୍ସଟାଇଲ୍ ଓ ହୀରା ଶିଳ୍ପ ସହ ଜଡ଼ିତ ରହିଛନ୍ତି । ପୂର୍ବରୁ ସାପ୍ତାହିକ ଟ୍ରେନ ଯୋଗୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ଦୈନିକ ସେବା ଆରମ୍ଭ ହେବା ଫଳରେ ଯାତାୟାତ ଅଧିକ ସହଜ ହେବା ସହ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶା ସରକାରଙ୍କ ଅନୁରୋଧକୁ ସ୍ୱୀକାର କରି ଏହି ସେବାକୁ ଦୈନିକ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଅମୃତ ଭାରତ ଏକ୍ସପ୍ରେସ ଗରିବ ଓ ମଧ୍ୟବିତ୍ତ ଯାତ୍ରୀଙ୍କ ପାଇଁ ସୁଲଭ, ସୁରକ୍ଷିତ ଓ ଆରାମଦାୟକ ଯାତ୍ରାର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ରାଜ୍ୟର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରାୟ ୨.୫୦ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ବାହୁଦାଠାରେ ଏକ ବୃହତ୍ ବନ୍ଦର ସ୍ଥାପନ ଏବଂ ବ୍ରହ୍ମପୁରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁର ମଧ୍ୟରେ ୬-ଲେନ୍ ସଡ଼କ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ସୁରଟରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ଆଜି ବ୍ରହ୍ମପୁର–ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଦୈନିକ ସେବା ଆରମ୍ଭ ହୋଇଛି । ଆଧୁନିକ ପ୍ରଯୁକ୍ତିରେ ନିର୍ମିତ ଏହି ଟ୍ରେନ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇବ ବୋଲି ସେ କହିଥିଲେ ।

ରେଳମନ୍ତ୍ରୀ ଆହୁରି ଘୋଷଣା କରିଥିଲେ ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବା ପାଇଁ ୩୦୦ କୋଟି ଟଙ୍କା ବ୍ୟୟ କରାଯିବ । ଆଧୁନିକ ଯାତ୍ରୀ ସୁବିଧା, ଉନ୍ନତ ଭିତ୍ତିଭୂମି ଓ ବିଶ୍ୱମାନର ସେବା ସହ ଏହି ପ୍ରକଳ୍ପର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଶୁଭାରମ୍ଭ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍, ଗଞ୍ଜାମ ଜିଲ୍ଲାର ବିଧାୟକମାନେ, ଜିଲ୍ଲା ପ୍ରଶାସନ ଏବଂ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *