କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଚିଲିଗୁଡା ଗାଁ ଭିତର ରାସ୍ତା ଦେଇ ପୂର୍ବଭଳି ଯାତ୍ରୀବାହୀ ବସ ଚଳାଚଳ କରିବା ପାଇଁ ସୋମବାର ଚିଲିଗୁଡା, ଗଡ଼ରାମାଲ, ଫୁପଗାଁ ଏବଂ କନ୍ଧାବୁଟୁରା ଆଦି ଅଞ୍ଚଳର ଶତାଧିକ ଜନସାଧାରଣ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ବସଗୁଡ଼ିକ ଗାଁ ଭିତରକୁ ନଆସି ବାଇପାସ୍ ରାସ୍ତାରେ ଚାଲୁଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି। ଅଞ୍ଚଳବାସୀଙ୍କ ଦାବି ଅନୁସାରେ, ଚିଲିଗୁଡା ଓ ଏହାର ଆଖପାଖ ଗ୍ରାମର ଲୋକେ ବିଭିନ୍ନ ଜରୁରୀ କାର୍ଯ୍ୟ ପାଇଁ ବସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ, କୃଷି ସମବାୟ ବ୍ୟାଙ୍କ, ଥାନା ଓ ବ୍ଳକ କାର୍ଯ୍ୟାଳୟ ସମେତ ଜୟପାଟଣା ସବ-ଟ୍ରେଜରୀ ଅଫିସ, ଜିଲ୍ଲା ସଦର ମହକୁମା ଭବାନୀପାଟଣା, ଉପଖଣ୍ଡ ଧର୍ମଗଡ, ନବରଙ୍ଗପୁର, ସମ୍ବଲପୁର, ଭୁବନେଶ୍ଵର ଓ ବିଶାଖାପାଟଣା ଆଦି ସ୍ଥାନକୁ ପ୍ରତିଦିନ ଯାତାୟାତ କରିଥାନ୍ତି। ପୂର୍ବରୁ ସମସ୍ତ ଦ୍ରୁତଗାମୀ ଗାଡ଼ି ଓ ସ୍ଥାନୀୟ ଯାତ୍ରୀବାହୀ ବସ୍ ଗୁଡ଼ିକ ଜାତୀୟ ରାଜପଥର ଗାଁ ରାସ୍ତା ଦେଇ ଯାତାୟତ କରୁଥିଲା। ମାତ୍ର ଚିଲିଗୁଡା ବାଇପାସ ରାସ୍ତା ନିର୍ମାଣ ହେବା ପରଠାରୁ ବସଗୁଡ଼ିକ ଗ୍ରାମ ଭିତରକୁ ନଆସି ବାଇପାସ ଦେଇ ସିଧାସଳଖ ପଳାଉଛନ୍ତି। ଫଳରେ ବୃଦ୍ଧ, ରୋଗୀ, ମହିଳା ଓ ସାଧାରଣ ଯାତ୍ରୀମାନେ ବସ ପାଇବା ପାଇଁ ଦୂରକୁ ଯିବାକୁ ପଡୁଥିବାରୁ ଘୋର ହଇରାଣ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବାଇପାସ୍ ରାସ୍ତାରେ ବସ ଚଳାଚଳ ବନ୍ଦ କରି ପୂର୍ବଭଳି ଚିଲିଗୁଡା ଗ୍ରାମ ଭିତର ଦେଇ ଯାତ୍ରୀବାହୀ ବସ ଚଳାଇବାକୁ ଦାବି ହୋଇଛି। ଯଦି ପ୍ରଶାସନ ଏହି ଦାବି ପ୍ରତି ତୁରନ୍ତ ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବୁ ବୋଲି ଚିଲିଗୁଡା ସର୍ବମଙ୍ଗଳା ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ ସିଂ,ସମ୍ପାଦକ ଅଭିମନ୍ୟୁ ଗୋପାଳ,ଧନେଶ୍ଵର ଗୋପାଳ, କେଶବ ଚନ୍ଦ୍ର ନାଏକ, ସନତ ଗୋପାଳ, ଦୈତାରି ବାରିକ, ବଂଶୀ ବାଗ, ପାର୍ଥ ଗୋପାଳ, ରଜନୀ ପଣ୍ଡା, ଲିଙ୍ଗରାଜ ନିଆଲ, ଧବଳ ନାୟକ ପ୍ରମୁଖ କମିଟି ତଥା ଚିଲିଗୁଡା ଗ୍ରାମବାସୀ ରାଜରାସ୍ତା ଅବରୋଧ କରିବା ପାଇଁ ବାଧ୍ୟ ହେବୁ ବୋଲି କଡା ଚେତାବନୀ ଦେଇଛନ୍ତି।

