ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା) : ଦିଲ୍ଲୀରେ ସିଜେପି ପକ୍ଷରୁ ହୋଇଥିବା ଆନ୍ଦୋଳନର ପ୍ରଭାବ ଏବେ ଓଡ଼ିଶାର ରାଜନୀତିରେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିବାବେଳେ, ବିଜେପି ଏହାର କଡ଼ା ପ୍ରତିବାଦ କରିଛି। ଦିଲ୍ଲୀରେ ଗଣମାଧ୍ୟମ ସହ କଥାହେବାବେଳେ ନବୀନ ପଟ୍ଟନାୟକ କହିଥିଲେ ଯେ, ଆନ୍ଦୋଳନ ସମୟରେ ଆହତ ହୋଇଥିବା ପ୍ରଦର୍ଶନକାରୀଙ୍କ ପ୍ରତି ସେ ସମବେଦନା ଜଣାଉଛନ୍ତି। ସେହିସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ଦର୍ଶାଇ ତାଙ୍କ ଇସ୍ତଫା ଦାବି କରିଥିଲେ। ଭୁବନେଶ୍ୱରକୁ ଫେରିବା ପରେ ମଧ୍ୟ ସେ ଏହି ଦାବିକୁ ଦୋହରାଇଥିଲେ ଏବଂ ବିଜେଡି ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିବ ବୋଲି କହିଥିଲେ। ଏଥିସହ ଦିଲ୍ଲୀରେ ଆନ୍ଦୋଳନକାରୀ ଓ ବିରୋଧୀ ନେତାଙ୍କ ପ୍ରତି ପୋଲିସର ବ୍ୟବହାରକୁ ମଧ୍ୟ ସେ ସମାଲୋଚନା କରିଥିଲେ।ଅନ୍ୟପକ୍ଷରେ, ବିଜେପି ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ କଡ଼ା ଭାବେ ଖଣ୍ଡନ କରିଛି। ଦଳର ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ନବୀନଙ୍କ ଏହି ଆଭିମୁଖ୍ୟ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ସେ ଅଭିଯୋଗ କରିଛନ୍ତି ଯେ, ବିଜେଡି ଶାସନ ସମୟରେ ମଧ୍ୟ ଓଡ଼ିଶାରେ ଅନେକ ପରୀକ୍ଷା ବିଭ୍ରାଟ ଘଟିଥିଲା, କିନ୍ତୁ ସେତେବେଳେ କୌଣସି ମନ୍ତ୍ରୀ ଇସ୍ତଫା ଦେଇନଥିଲେ। ତେଣୁ ବର୍ତ୍ତମାନର ଦାବିକୁ ବିଜେପି ଦ୍ୱିମୁଖୀ ଆଭିମୁଖ୍ୟ ବୋଲି ଦର୍ଶାଇଛି। ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି। କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ବିଜେଡିର ଏହି ଆଭିମୁଖ୍ୟ ଜାତୀୟ ରାଜନୀତିରେ ଦଳର ସକ୍ରିୟତା ବଢ଼ାଇବା କିମ୍ବା ବିରୋଧୀ ରାଜନୀତିକୁ ଆହୁରି ସୁଦୃଢ଼ କରିବାର ରଣନୀତିର ଅଂଶ ହୋଇପାରେ। ତେବେ ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ମତ ପ୍ରକାଶ କରାଯାଇନାହିଁ। ଏପଟେ ଦିଲ୍ଲୀର ଆନ୍ଦୋଳନର ପ୍ରତିଧ୍ୱନି ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ବିଜୁ ଯୁବ ଛାତ୍ର ଜନତା ଦଳ, କଂଗ୍ରେସ ଓ ଏଆଇଡିଏସଓ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ବିଜେପି କର୍ମୀମାନେ ପାଲଟା ପ୍ରତିବାଦ କରି ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ଥିବାବେଳେ ଶାସକ ଓ ବିରୋଧୀ ଦଳ ନିଜ ନିଜ ଆଭିମୁଖ୍ୟକୁ ଜୋରଦାର କରିବାରେ ଲାଗିଛନ୍ତି।
