ମାଲକାନଗିରି/କ୍ରାନ୍ତିକ୍ଷେତ୍ର(ଏନ୍ ରବି କୁମାର) : ବିଦ୍ୟୁତ୍ ବିଲ୍ ପୈଠ ନକରି ବିଦ୍ୟୁତ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ମାମଲାର ତଦନ୍ତ କରୁଥିଲା ପୁଲିସ। ତଦନ୍ତ କାଳରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ମାଲକାନଗିରି ଥାନାଠାରୁ ମାତ୍ର ୬କିମି ଦୂରରେ ଚାଲିଥିବା ଏହି ବନ୍ଧୁକ କାରଖାନାରୁ ପୁଲିସ ବନ୍ଧୁକ ତିଆରି ସାମଗ୍ରୀ ସହିତ ଗୁଳି ଓ ଦେଶୀ ବନ୍ଧୁକ ଜବତ କରିଛି। ମାମଲାରେ ଅନୁକୂଳ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ସୂଚନା ମୁତାବକ, ନିଳିମାରିଗୁଡ଼ା ଗ୍ରାମର ଅନୁକୂଳ ନାୟକଙ୍କୁ ବିଦ୍ୟୁତ୍ ବିଭାଗର ଦୀପକ ବିଶ୍ଵାସ ନାମକ କର୍ମଚାରୀ ୧୪୦ ଟଙ୍କା ବିଦ୍ୟୁତ୍ ବିଲ୍ ମାଗିଥିଲେ। ତେବେ ଅନୁକୂଳ ଦୀପକଙ୍କୁ ବିଲ୍ ଟଙ୍କା ନଦେଇ ଧମକାଇଥିଲେ।

ଏପରିକି ଧାରୁଆ ଅସ୍ତ୍ରରେ ଆକ୍ରମଣ ଉଦ୍ୟମ କରିବା ସହ ଘର ଭିତରୁ ଦେଶୀ ବନ୍ଧୁକ ଆଣି ଗୁଳି କରିଦେବାକୁ ଧମକାଇଥିଲେ। ବନ୍ଧୁକ ଦେଖି ଦୀପକ ସେଠାରୁ ଦୌଡ଼ି ପଳାଇଥିଲେ। ଏ ନେଇ ଦୀପକ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଥାନା ଅଧିକାରୀ ରିଗାନ କିଣ୍ଡୋ ସଦଳବଳେ ଅନୁକୂଳଙ୍କ ଘରେ ଚଢ଼ଉ ସମୟରେ ବନ୍ଧୁକ ସମେତ ବନ୍ଧୁକ ତିଆରି ସାମଗ୍ରୀ ଏବଂ ଗୁଳି ଜବତ କରିଥିଲେ। ପୁଲିସ ବନ୍ଧୁକ ଜବତ କରିବା ପରେ ସେଥିରେ ଗୁଳି ଥିବା ଜାଣିବାକୁ ପାଇଥିଲା। ବନ୍ଧୁକରେ ଗୁଳି ଥିବା ଜାଣିବା ପରେ ପୁଲିସ କର୍ମଚାରୀ ଫାଙ୍କା ଗୁଳି କରିଥିଲେ। ତୁରନ୍ତ ପୁଲିସ ଅନୁକୂଳଙ୍କୁ ଗିରଫ କରିଥିଲା। ଥାନାଠାରୁ ମାତ୍ର ୬ କିମି ଦୂରରେ ବନ୍ଧୁକ ତିଆରି କାରାଖାନା ଚାଲିଥିଲେ ମଧ୍ୟ ପୁଲିସ କୌଣସି ଟେର୍ ପାଇନଥିଲା।
