ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ; ପ୍ରମାଣପତ୍ର ସହ ବଣ୍ଟନ ହେଲା ସହାୟକ ଉପକରଣ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାରୀ ସେବା, ସହାୟକ ଉପକରଣ ଓ ପ୍ରମାଣପତ୍ର ଏକାଠି ପ୍ରଦାନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ବ୍ଲକର ୨୨ଟି ପଞ୍ଚାୟତରୁ ବହୁ ସଂଖ୍ୟକ ହିତାଧିକାରୀ ଯୋଗଦେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା, ସ୍ୱାବଲମ୍ବନ ଓ ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ। କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଡିଡିଆରସି କଳାହାଣ୍ଡିର ନୋଡାଲ ଅଫିସର ନିବାସ ଚନ୍ଦ୍ର ସାହୁ, ଡାକ୍ତର ଶିବାନନ୍ଦ ନାଏକ, ବିଧାୟକଙ୍କ ପ୍ରତିନିଧି ତ୍ରିନାଥ ଶବର ଏବଂ ସମିତି ସଭ୍ୟ ଗଜାନନ ନିଆଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଶିବିରରେ ମୋଟ ୩୮୧ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିବା ବେଳେ ୫ ଜଣଙ୍କୁ ଟ୍ରାଇ ସାଇକେଲ, ୧୨ ଜଣଙ୍କୁ ହୁଇଲ୍ ଚେୟାର, ୨ ଜଣଙ୍କୁ ଆଶାବାଡ଼ି, ୫୦ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଏବଂ ୮୪ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଭବାନୀପାଟଣାରୁ ଆସିଥିବା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ମହାଲି, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅନନ୍ତ ଚରଣ ମେହେର, ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ମହାରଣାଙ୍କ ସମେତ ୧୦ ଜଣ ସହାୟକ ଚିକିତ୍ସକ ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ମୂଲ୍ୟାଙ୍କନ ଓ ଚିହ୍ନଟ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜାଫେଦ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ଶିବିର ସୁଚାରୁରୂପେ ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *