CMOରୁ ଫାଇଲ୍ ଗାୟବ ମାମଲା: ଭିକେ ପାଣ୍ଡିଆନଙ୍କୁ ନୋଟିସ୍, ଜୁଲାଇ ୨୫ରେ ହାଜର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା): ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ଗାୟବ ହେବା ଘଟଣାର ତଦନ୍ତକୁ ଆହୁରି ଜୋରଦାର କରାଯାଇଛି । ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବତନ IAS ଅଧିକାରୀ ତଥା ବିଜେଡିର ପୂର୍ବତନ ନେତା ଭି. କେ. ପାଣ୍ଡିଆନଙ୍କୁ ଏସିପି ଜୋନ୍–୧ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

ନୋଟିସ୍ ଅନୁଯାୟୀ, ଭିକେ ପାଣ୍ଡିଆନଙ୍କୁ ଆସନ୍ତା ଜୁଲାଇ ୨୫ ତାରିଖରେ ବ୍ୟକ୍ତିଗତ ଭାବେ ଏସିପି ଜୋନ୍–୧ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି । ଏହାପରେ ରାଜ୍ୟର ରାଜନୈତିକ ଓ ପ୍ରଶାସନିକ ମହଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହାପୂର୍ବରୁ ଏହି ମାମଲାରେ ଦୁଇଜଣ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ସେମାନେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ଦ୍ଧାରିତ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇନଥିଲେ ।

ବର୍ତ୍ତମାନ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି ହେବା ପରେ ସେ ନିର୍ଦ୍ଧାରିତ ତାରିଖରେ ହାଜର ହେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ତାଙ୍କ ବୟାନ ତଦନ୍ତରେ କେତେ ଗୁରୁତ୍ୱ ବହନ କରିବ, ତାହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ଚାଲିଛି ।

ସରକାରୀ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାକୁ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବାବେଳେ ଆଗାମୀ ଦିନରେ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ସୂତ୍ରରୁ ସୂଚନା ମିଳୁଛି ।

ତେବେ ତଦନ୍ତ ପ୍ରକ୍ରିୟା ଜାରି ଥିବାରୁ ଏହି ମାମଲାରେ ଚୂଡ଼ାନ୍ତ ନିଷ୍କର୍ଷ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତଦନ୍ତର ପରବର୍ତ୍ତୀ ପର୍ଯ୍ୟାୟ ଓ ଜୁଲାଇ ୨୫ର ଘଟଣାକ୍ରମ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *