କୋକସରା ଅଞ୍ଚଳରେ ବର୍ଷା ବିତ୍ପାତ ; ଭାଙ୍ଗିଲା ଘର, ପାଣିରେ ବୁଡିଲା ଚାଷ ଜମି

  • ବିଭିନ୍ନ ବ୍ରିଜ୍ ଉପରେ ଜଳ ପ୍ରବାହିତ
  • ୨୪ ଘଣ୍ଟାରେ ୧୫୨ ମିଲିମିଟର ବର୍ଷା ରେକର୍ଡ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଜାରି ରହିଛି ବନ୍ୟା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ଅନେକ ଗୁଡ଼ିଏ ନଦୀ ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଥିବାବେଳେ ଅନେକଙ୍କ ଘର ଭାଙ୍ଗି ଯାଇଛି। ଚାଷ ଜମିରେ ମଧ୍ୟ ପାଣି ମାଡ଼ି ଯିବାରୁ ଚାଷ ନଷ୍ଟ ହେବା ଆଶଙ୍କା ରହିଥିବା ବେଳେ ମାଛ ଚାଷୀଙ୍କ ମଧ୍ୟ ମାଛ ଚାଷ ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋକସରା ବ୍ଲକରେ ୧୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୁଧବାର ମଧ୍ୟାହ୍ନ ସମୟରୁ ଅଞ୍ଚଳରେ ପ୍ରବଳ ବେଗରେ ପବନ ବେହିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି। ଗତକାଲି ତୁନଗାଁ ଓ ମହାଜନଗୁଡା ଗ୍ରାମର ଦୁଇ ଜଣଙ୍କ ମାଟି ଘର ଭାଙ୍ଗି ଯାଇଥିବା ଖବର ମିଳିଥିଲା। ଆଜି ବର୍ଷା ଯୋଗୁଁ ଖୁଣ୍ଟିଆ ପଞ୍ଚାୟତର ମିର୍ଜାପୁର ଗ୍ରାମର ଦୀପା ନାଗଙ୍କ ଘର ଭାଙ୍ଗି ଯାଇଥିବାବେଳେ ବରାଡଙ୍ଗା ଗ୍ରାମର ଗୋକୁଳ ରାଉତଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି। ସେହିପରି ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଦାବ୍ରିଗୁଡା ଗ୍ରାମର ରଘୁ ମାଝୀଙ୍କ ଘର ଭାଙ୍ଗି ଯାଇଛି। ଟେମେରା ଗ୍ରାମର ହରିଧର ସତନନାମୀ ଓ ନେତ୍ରା ନନ୍ଦ ମାଝୀଙ୍କ ଘରେ ୨ ଫୁଟରୁ ଉର୍ଦ୍ଧ୍ବ ପାଣି ପସିଥିବାରୁ ଅଗ୍ନିଶମ ବାହିନୀ ସେମାନଙ୍କ ଘରୁ ପାଣି ନିଷ୍କାସନ କରିଛନ୍ତି। ସେହିପରି ଗହନାମୁଣ୍ଡା ଗ୍ରାମର କୁମରମଣି ନାଗ ଓ ଧନେଶ୍ୱର ଗୋପାଳଙ୍କ ଘରୁ ମଧ୍ୟ ପାଣି ନିଷ୍କାସନ କରାଯାଉଛି। ଘରେ ପାଣି ପସିଯିବାରୁ ଅନେକ ସାମଗ୍ରୀ କ୍ଷତି ଓ ଘର ଭାଙ୍ଗିବା ସମ୍ଭାବନା ରହିଛି। ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଦାବ୍ରିଗୁଡା ଗ୍ରାମର ନକୁଳ ମାଝୀ, ମଙ୍ଗଳୁ ମାଝୀ, ରତନ ଧଙ୍ଗଡାମାଝୀ, ସତେ ଚଳାନ, ରବି ବେଶ୍ରା, କୃଷ୍ଣ ନାଏକ, ମନଧର ହରିଜନ, ଲାଲୁ ନାଏକ ସମେତ ଅନେକ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବା ଜଣାପଡିଛି।

ଡହଗାଁ ବ୍ରିଜ୍, ମୁଶାପାଲି ବ୍ରିଜ୍ ଏବଂ ବଡ଼ପୋଡ଼ାଗୁଡ଼ା ମୁଟ୍ରା ନଦୀ ବ୍ରିଜ୍ ଉପରେ ଦୁଇ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। କୁଲେରଗୁଡ଼ା-ଖୁର୍ସେଲଗୁଡ଼ା ବ୍ରିଜ୍ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲଡୁଗାଁ ସୁପାଡ ରାସ୍ତାର ଅସ୍ଥାୟୀ ପୋଲ ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାଛଡ଼ା ଦାବ୍ରିଗୁଡ଼ା-ଧୋବେନଚଞ୍ଚରା, ଟେମରା-କୋକସରା ଏବଂ ଫୁପଗାଁ-ଗତାବନ୍ଦ ସମେତ ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବା ଜଣାପଡିଛି। ମାଛ ଚାଷ କରିଥିବା ଅଞ୍ଚଳର ଅନେକ ଚାଷୀମାନେ ମଧ୍ୟ ଏହି ଲଗାଣ ବର୍ଷା ଯୋଗୁଁ ମାଛ ଚାଷରେ କ୍ଷତି ହୋଇଛି। ସେହିପରି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ଜଳରେ ବୁଡ଼ି କ୍ଷତି ହେବାର ଆଶଙ୍କା ରହିଛି। ବର୍ଷା ଯୋଗୁଁ ଅଞ୍ଚଳରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗହନାମୁଣ୍ଡା ଗ୍ରାମର ପ୍ରାୟ ୩୦ଟି ପରିବାରର ୧୨୦ ଜଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍କୁଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ତିକ୍ଷ୍ନ ନଜର ରଖାଯାଇଛି ଏବଂ ବର୍ଷା ଥମିବା ପରେ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *