ବର୍ଷା ପ୍ରହାର : ଘର ଭୁଶୁଡ଼ିଲା, ପଶିଲା ଜଳ- ୧୨୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେଲା ପ୍ରଶାସନ

କୋକସରା/କ୍ରାନ୍ତିକ୍ଷେତ୍ର : ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଓ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ବିଶେଷ କରି ମୁଷାପାଲି ଗ୍ରାମ ପଞ୍ଚାୟତ ଗହନାମୁଣ୍ଡା ଗ୍ରାମର ବସ୍ତିପଡ଼ାରେ ବର୍ଷାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧବାରଠାରୁ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଏହି ବସ୍ତିର କେତେକ ଲୋକଙ୍କ କଞ୍ଚାଘର ଭୁଶୁଡ଼ି ପଡ଼ିଥିବାବେଳେ କେତେକଙ୍କ ଘର ଭିତରେ ବର୍ଷା ଜଳ ପଶିଯାଇଛି। ଫଳରେ ଗ୍ରାମବାସୀଙ୍କୁ ବେଶ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଘରୁ ପାଣି ନିଷ୍କାସନ କରାଯାଇଥିବା ବେଳେ ଖବର ପାଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ହିମାଞ୍ଚଳ ମାଝୀ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ପ୍ରଭାବିତ ପରିବାରଗୁଡ଼ିକ ସହିତ ଆଲୋଚନା କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ପ୍ରଭାବିତ ଅଞ୍ଚଳର ୩୦ଟି ପରିବାରର ପ୍ରାୟ ୧୨୦ ଜଣ ସଦସ୍ୟଙ୍କୁ ସ୍ଥାନୀୟ ସ୍କୁଲକୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷିତ ଭାବେ ରଖାଯାଇଛି। ଏଥିସହିତ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ପ୍ରଭାବିତ ଲୋକଙ୍କ ନିମନ୍ତେ ବର୍ତ୍ତମାନ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି, ବର୍ଷା ଥମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *