ସଇଁତଳାକୁ ଏନଏସି ଘୋଷଣା ଦାବି ; ୨୫ ଦିନରେ ଗଣଧାରଣା

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁତଳାକୁ ଏନଏସି ଘୋଷଣା କରିବା ଦାବିରେ ଚାଲିଥିବା ଗଣଧାରଣା ଶୁକ୍ରବାର ୨୫ ଦିନରେ ପହଞ୍ଚିଛି। ସଇଁତଳା ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଦୀର୍ଘଦିନ ଧରି ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି। ସଇଁତଳାକୁ ଏନଏସି ମାନ୍ୟତା ପ୍ରଦାନ କରାଗଲେ ଅଞ୍ଚଳର ସହରୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଲୋକଙ୍କୁ ଅଧିକ ମୌଳିକ ସୁବିଧା ମିଳିପାରିବ ବୋଲି ଆନ୍ଦୋଳନକାରୀମାନେ ମତ ପ୍ରକାଶ କରିଛନ୍ତି। ଏହି ଗଣଧାରଣା ଅବସରରେ ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକ ସଂଘ ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାସ୍ଥଳରେ ଯୋଗ ଦେଇ ସଇଁତଳା ଅଞ୍ଚଳର ବିକାଶ ଓ ଲୋକଙ୍କ ଦୀର୍ଘ ଦିନର ଦାବିକୁ ଗୁରୁତ୍ୱ ଦେଇ ସରକାର ଏନଏସି ଘୋଷଣା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସଂଘ ତରଫରୁ ମତ ପ୍ରକାଶ ପାଇଛି। ଏହି ସମୟରେ ସଇଁତଲା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘର ପରାମର୍ଶଦାତା ପ୍ରମୋଦ କୁମାର ସେଲମା , ସଭାପତି ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ସୁଶାନ୍ତ ମେହେର, ରଞ୍ଜନ ବାଗ, ଅମିତ ସାହୁ, ରଞ୍ଜନ ବାଗ ସହ ବହୁ ସାମ୍ବାଦିକ ସାମିଲ ହୋଇଥିଲେ।  ସଇଁତଳାକୁ ଏନଏସି ଘୋଷଣା କରାଗଲେ ଯୋଜନାବଦ୍ଧ ଭାବେ ଅଞ୍ଚଳର ବିକାଶ କରିବାର ସୁଯୋଗ ସୃଷ୍ଟି ହେବ ବୋଲି ଆନ୍ଦୋଳନରେ ଯୋଗ ଦେଇଥିବା ସାମ୍ବାଦିକମାନେ ମତ ଦେଇଥିଲେ। ଏହି ଆନ୍ଦୋଳନରେ ଜନପ୍ରତିନିଧି ରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସାଧାରଣ ଲୋକଙ୍କ ସମର୍ଥନ ମିଳିବା ଫଳରେ ଆନ୍ଦୋଳନ ଆହୁରି ଦୃଢ଼ ହେଉଥିବା ଦେଖାଯାଇଛି। ଧାରଣାସ୍ଥଳରେ ଉପସ୍ଥିତ ଆନ୍ଦୋଳନକାରୀ ମାନେ କହିଛନ୍ତି ଯେ, ସଇଁତଳା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଓ ଜନବସତିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏହାର ଦ୍ରୁତ ବିକାଶ ପାଇଁ ଏନଏସି ମାନ୍ୟତା ଆବଶ୍ୟକ ରହିଥିବା ବେଳେ ଦୀର୍ଘଦିନ ଧରି ଏହି ଦାବି ଉଠୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦାବି ପୂରଣ ନ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତେଣୁ ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ସଇଁତଳାକୁ ଏନଏସି ଘୋଷଣା କରନ୍ତୁ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି। ଏଥିରେ ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ସମର୍ଥନ ମିଳିଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିବ ବୋଲି ସରପଞ୍ଚ ଶ୍ରୀନାଗ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *