କୋକସରା/କ୍ରାନ୍ତିକ୍ଷେତ୍ର : ଲଗାଣ ବର୍ଷା ଯୋଗୁଁ କୋକସରା ବ୍ଲକର ଲଡୁଗାଁ-ସୁପାଡ ପ୍ରମୁଖ ରାସ୍ତା ଧୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାପରେ ଜରୁରୀକାଳୀନ ସ୍ଥିତି କୁ ନେଇ ଲୋକେ ଚିନ୍ତିତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଦିର୍ଘ ବର୍ଷରୁ ଥିବା ସୁପାଡ ପୋଲ ଦବି ଯିବାରୁ ପ୍ରଶାସନ ପକ୍ଷରୁ ନୂତନ ବ୍ରିଜ୍ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ସଠିକ୍ ଜାଗା ଚିହ୍ନଟ ନହେବା କାରଣରୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏଣେ ଲୋକଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ଭାବେ ପୋଲ ପକାଯାଇଛି। ଯାହା ବର୍ଷା ହେଲେ ବାରମ୍ବାର ଭାଙ୍ଗି ନଷ୍ଟ ହୋଇଯାଉଛି। ଗତ ୩ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ମଧ୍ୟ ଏହି ଅସ୍ଥାୟୀ ପୋଲ ଟି ଭାଙ୍ଗି ଯାଇଛି। ଯାହା ଫଳରେ ସୁପାଡ ସମେତ ଆଖପାଖ ଗାଁ ଗୁଡ଼ିକର ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଭଲି ସମୟରେ ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା କିମ୍ୱା ଜରୁରୀ ପରିସ୍ଥିତି ଉପୁଜେ ତେବେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ଦ୍ୱିଗୁଣିତ ହେବା ଆଶଂକା ଥିବାରୁ ଉକ୍ତ ଅଞ୍ଚଳର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ଲଡୁଗାଁ ଏକ ପ୍ରମୁଖ ବାଣିଜ୍ୟକ ପେଣ୍ଠସ୍ଥଳୀ ଭାବେ ସୁପରିଚିତ। ବରାଡ଼ଙ୍ଗା, ବାଗଝୋଲା, ନାଏକପଡ଼ା, ସୁପାଡ଼, ପୀତବାସପୁର ଆଦି ଆଖ ପାଖ ଗ୍ରାମର ଲୋକେ ସଦା ସର୍ବଦା ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଲୋକେ ଏଠାରେ ନିତି ଦିନ ଦୋକାନ ବଜାର ଠାରୁ ଆରମ୍ଭ କରି ସ୍କୁଲ୍, କଲେଜ, ଡାକ୍ତରଖାନା ତଥା କର୍ମସଂସ୍ଥାନ ପାଇଁ ନିର୍ଭର କରିଥାନ୍ତି। ତେଣୁ ସୁପାଡ ଓ ତା’ ଆଖପାଖ ଗାଁ ଗୁଡ଼ିକର ଲୋକେ ଅନେକ କାର୍ଯ୍ୟ ପାଇଁ ଲଡୁଗାଁ ଯିବାକୁ ହେଲେ ୪/୫ କିଲୋମିଟର ଦୂର ବୁଲିବାକୁ ପଡ଼ିବ। ତେଣୁ ଯୁଦ୍ଧ କାଳୀନ ଭିତରେ ଅସ୍ଥାୟୀ ପୋଲ ଟିଏ କିମ୍ବା ରାସ୍ତା ମରାମତି କରାନଯାଏ ତେବେ ଆଗକୁ ଲୋକେ କାଦୁଅ ବନ୍ଦୀ ଜୀବନ ଯାପନ ସହିତ ଜଳବନ୍ଦୀ ଯନ୍ତ୍ରଣା ଭୋଗ କରିବାର ଆଶଙ୍କା କରାଯାଉଛି। ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
