ଲଘୁଚାପଜନିତ ବର୍ଷା ପ୍ରଭାବ ଥୁଆମୂଳ ରାମପୁରରେ ବ୍ୟାପକ କ୍ଷୟକ୍ଷତି

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: ୪ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅବିରତ ବର୍ଷାର ପ୍ରଭାବରେ ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଧୋଇଯିବା ସହ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଅନେକ ଗାଁରେ ଘରଦ୍ୱାର ଭାଙ୍ଗିଥିବା ବେଳେ ବହୁ ଲୋକଙ୍କ ଘରେ ବର୍ଷାଜଳ ପଶିଥିବା ଅଭିଯୋଗ ମଧ୍ୟ ଆସିଛି। ବିଶେଷକରି ପାଡେପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗାଁ ପାଇଁ ଗାଁର ପଶ୍ଚିମ ପଟରେ ଥିବା ତରସମାଳି ପାହାଡ଼ ବିପଦର କାରଣ ପାଲଟିଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଖସି ତଳକୁ ଆସିବା ଫଳରେ ଅନେକ ଲୋକଙ୍କ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଆଗକୁ ମଧ୍ୟ ଏଭଳି ବର୍ଷା ଜାରି ରହିଲେ ପାହାଡ଼ରୁ ବଡ଼ ଧରଣର ମାଟି ଅତଡ଼ା ଖସି ଗାଁ ଆଡ଼କୁ ଆସିବା ଆଶଙ୍କାରେ ଖମାରପଦରବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏପଟେ ନିକଟସ୍ଥ ଭାଟିପାସ ଗାଁର ବୁଡୁ ମାଝୀଙ୍କ ଘର ମଧ୍ୟ ବର୍ଷାରେ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଘର ଭାଙ୍ଗିଯିବା ଫଳରେ ପରିବାର ଲୋକେ ଅସୁବିଧାରେ ପଡ଼ିଛନ୍ତି। ସେହିପରି ହାଡସିଲ୍ ଗାଁରୁ ତଳପଡାକୁ ଯାଉଥିବା ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ରାସ୍ତା ଅବରୋଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ସେହିପରି କରଡାପାସ୍ର ଗାଁର କାଲାବତୀ ଙ୍କ ଘର ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି।ପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାରାମୁଣ୍ଡି ଗାଁର ଦେବେନ୍ଦ୍ର ମାଝୀଙ୍କ ଘର ବର୍ଷାରେ ଭାଙ୍ଗିଯାଇଥିବା ବେଳେ ମହାଜାଲ ଗାଁର ମାସ୍କୁ ମାଝୀଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି କୁଟ୍ରୁମାଳି ଗାଁର ଲାକି ମାଝୀଙ୍କ ଘର ମଧ୍ୟ ବିପଦ ଅବସ୍ଥାରେ। ମାଳିଗାଁ ପଞ୍ଚାୟତ ମୁଷାଜାଲ ଗାଁର ଲାବେନ ନାଏକଙ୍କ ଘର ଭାଙ୍ଗି ପଡିଛି।
ଅନ୍ୟପକ୍ଷରେ ଅଡ୍ରୀ ଗ୍ରାମ ପଞ୍ଚାୟତର ରଜାମୁଣ୍ଡା ପଡ଼ାର ଗୋପୀ ପ୍ରଧାନୀଙ୍କ ଘର ଏବଂ ଅଡ୍ରୀ ଗ୍ରାମର ଅଗ୍ନି ମୁଦୁଲିଙ୍କ ଘର ମଧ୍ୟ ଭାଙ୍ଗିଯାଇଛି। ଗୋପୀନାଥପୁର-କେନ୍ଦୁମୁଣ୍ଡି ଗାଁର ନନୁର୍ଜୟ ନାଏକଙ୍କ ଘର ମଧ୍ୟ ବିପଦସଂକୁଳ ଅବସ୍ଥାରେ ଥିବା ଜଣାପଡ଼ିଛି।
ଏଥିସହ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳର ଅନେକ ଘରେ ବର୍ଷାଜଳ ପଶିଥିବା ଅଭିଯୋଗ ଆସିଛି। ଫଳରେ ଲୋକେ ନିଜ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି। ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଭୂସ୍ଖଳନ ଏବଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ଘଟଣା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଦେଇଛି। ତେବେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା, ବିପଦସଂକୁଳ ଅଞ୍ଚଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଅବରୋଧ ହୋଇଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ପ୍ରଶାସନ ପକ୍ଷରୁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ କେବେ ସହାୟତା ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *