ଗଞ୍ଜାମରେ କୋଭିଡ୍ ସଂକ୍ରମିତ ଚିହ୍ନଟ: MKCGରେ ଚିକିତ୍ସାଧୀନ, ଭୟ ନକରି ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା): ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜଣେ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୦ ବର୍ଷୀୟା ଜଣେ ମହିଳା କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରୀ ଟିମ୍ ତାଙ୍କ ଉପରେ ନିୟମିତ ନଜର ରଖିଛନ୍ତି । ଏହାସହ ମହିଳାଙ୍କ ଟ୍ରାଭେଲ ହିଷ୍ଟ୍ରି ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ଯାଞ୍ଚ ଆରମ୍ଭ କରାଯାଇଛି ।

ଏମ୍‌କେସିଜି ମେଡିକାଲର ଅଧିକ୍ଷକ ଡା. ସୁଦୀପା ଦାସ କହିଛନ୍ତି ଯେ, କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥା ପ୍ରସ୍ତୁତ ରହିଛି । ଯେକୌଣସି ପରିସ୍ଥିତିରେ ରୋଗୀଙ୍କୁ ଉଚିତ ଚିକିତ୍ସା ସେବା ଯୋଗାଇବା ପାଇଁ ପ୍ରଶାସନ ସଜାଗ ରହିଛି ।

ଅନ୍ୟପକ୍ଷରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ଚିହ୍ନଟ ହେଉଥିବା କୋଭିଡ୍ ଭୂତାଣୁ ପୂର୍ବ ଲହରୀ ତୁଳନାରେ ସେତେ ମାରାତ୍ମକ ନୁହେଁ। ସେଥିପାଇଁ ସାଧାରଣ ଲୋକ ଅଯଥା ଆତଙ୍କିତ କିମ୍ବା ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଉଚିତ । କୋଭିଡ୍ ଗାଇଡଲାଇନ୍ ପାଳନ, ସ୍ୱଚ୍ଛତା ରକ୍ଷା ଏବଂ ଅସୁସ୍ଥ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ, କୋଭିଡ୍-୧୯ ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମସ୍ତ ଖବର ଉପରେ ସରକାର ନଜର ରଖିଛନ୍ତି । ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ IDSP (Integrated Disease Surveillance Programme) ଏବଂ ICMR (Indian Council of Medical Research) ପକ୍ଷରୁ କରାଯାଇଥିବା ସର୍ଭେ ଓ ମୂଲ୍ୟାଙ୍କନ ଅନୁସାରେ, ଦେଶରେ କୋଭିଡ୍ ସଂକ୍ରମଣର ସ୍ତର ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଏବଂ ପରିସ୍ଥିତି ଚିନ୍ତାଜନକ ନୁହେଁ।

ତେଣୁ ଲୋକଙ୍କୁ କୌଣସି ଗୁଜବ ବିଶ୍ୱାସ ନ କରି ସରକାରୀ ସୂଚନା ଉପରେ ଭରସା ରଖିବା ସହ ସ୍ୱାସ୍ଥ୍ୟବିଧି ପାଳନ କରିବାକୁ ବିଭାଗ ଅନୁରୋଧ କରିଛି। ସରକାରଙ୍କ ପ୍ରୋଟୋକଲ ଅନୁସାରେ ରୋଗୀଙ୍କ ନିୟମିତ ନିରୀକ୍ଷଣ ଓ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *