ପୁରୀ/କ୍ରାନ୍ତିକ୍ଷେତ୍ର (ନୀଳକଣ୍ଠ ମିଶ୍ର): ରାଜସ୍ଥାନର ସିକର ଜିଲ୍ଲାରେ ଜୁଲାଇ ୧୦ ତାରିଖରେ ପ୍ରସ୍ତାବିତ ‘ଅଦିନିଆ ରଥଯାତ୍ରା’କୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କଡ଼ା ଆପତ୍ତି ଜଣାଇଛି। ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବା ପାଇଁ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ରାଜସ୍ଥାନର ସିକର ଜିଲ୍ଲାପାଳ ଆଶିଷ ମୋଦିଙ୍କୁ ସରକାରୀ ପତ୍ର ଲେଖି ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଏବଂ ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ପକ୍ଷରୁ ସିକରରେ ଜୁଲାଇ ୧୦ରେ ରଥଯାତ୍ରା ଆୟୋଜନ ନେଇ ସାମାଜିକ ଗଣମାଧ୍ୟମ ଓ ଖବରକାଗଜରେ ପ୍ରଚାର ହୋଇଥିଲା। ଏହା ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ଦେଖାଇ ଏହି ଆୟୋଜନକୁ ବନ୍ଦ କରିବା ସହ ଶାସ୍ତ୍ରସମ୍ମତ ତିଥିରେ ମାତ୍ର ରଥଯାତ୍ରା ପାଳନ କରିବାକୁ ଅନୁରୋଧ କରିଛି।
ଏ ସମ୍ପର୍କରେ ରାଜସ୍ଥାନର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପତ୍ର ପଠାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ଯେ, ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା ପାଳନ କରାଯାଏ। ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ସମେତ ସାରା ବିଶ୍ୱରେ ଜୁଲାଇ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହା ବ୍ୟତୀତ ଅନ୍ୟ କୌଣସି ଦିନ ରଥଯାତ୍ରା ଆୟୋଜନ କରିବା ଶାସ୍ତ୍ରବିରୋଧୀ ହେବା ସହ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଇବ ବୋଲି ପ୍ରଶାସନ କହିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, ନିୟମ ବାହାରେ ଏଭଳି ରଥଯାତ୍ରା ଆୟୋଜନ କରିବା ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶାସ୍ତ୍ରୀୟ ପରମ୍ପରାର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି ଏବଂ ଭୁଲ ବାର୍ତ୍ତା ପ୍ରସାରିତ ହେଉଛି।
ଏହି ଘଟଣାକୁ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଓ ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ‘ଅଦିନିଆ ରଥଯାତ୍ରା’କୁ ସେ ଦୃଢ଼ ନିନ୍ଦା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ବିରୋଧ କରିଆସିଛି। ଆଗାମୀ ଦିନରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରୀୟ ପରମ୍ପରା ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇଚାଲିବ ବୋଲି ସ୍ପଷ୍ଟ କରିଛି।
