କାଳିଆପାଣି/କ୍ରାନ୍ତିକ୍ଷେତ୍ର (ନୀଳକଣ୍ଠ ମିଶ୍ର): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତର ଉଦୟପୁର ଢିପାସାହି ଗାଁ ନିକଟସ୍ଥ କଣ୍ଟାପାଳ ନାଳରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସ୍ୱର୍ଗତ ସନାତନ ମୁଣ୍ଡାଙ୍କ ପତ୍ନୀ ସୁଶୀଳା ମୁଣ୍ଡା (୫୪)।
ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ସୁଶୀଳା ସ୍ନାନ ଓ ଶୌଚ କାର୍ଯ୍ୟ ପାଇଁ ନାଳକୁ ଯାଇଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇ ପାଣିରେ ପଡ଼ିଯାଇଥିଲେ। ସେ ଅସୁସ୍ଥ ଓ ଦୁର୍ବଳ ଥିବାରୁ ପ୍ରଖର ସ୍ରୋତରୁ ବାହାରି ପାରିନଥିଲେ। ପରିବାର ଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ପରେ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାଳ ମଧ୍ୟରେ ଏକ ଗଛମୂଳରୁ ସୁଶୀଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ସୁକିନ୍ଦା ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା (ନଂ ୧୮/୨୬) ରୁଜୁ କରିଛି। ମୃତକଙ୍କ ତିନି ପୁଅ ଫୁକନ ମୁଣ୍ଡା, ଜଗା ମୁଣ୍ଡା ଓ ବଳିଆ ମୁଣ୍ଡାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି। ବ୍ୟବଛେଦ ପରେ ସନ୍ଧ୍ୟାରେ ଗାଁ ଶ୍ମଶାନରେ ସୁଶୀଳା ମୁଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଉଲ୍ଲେଖଯୋଗ୍ୟ, ମହାଗିରି ପାହାଡ଼ରୁ ବାହାରିଥିବା କଣ୍ଟାପାଳ ନାଳ ବର୍ଷା ଯୋଗୁଁ ଏବେ ଉଫାନରେ ରହିଛି। ପ୍ରଖର ସ୍ରୋତ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।
