କ୍ରାନ୍ତିକ୍ଷେତ୍ର (ସ୍ବତନ୍ତ୍ର ଖବର) : ପ୍ରଚଣ୍ଡ ରୌଦ୍ରତାପରେ ତ୍ରାହି ତ୍ରାହି ଡାକୁଛି ସଂସାର, କିନ୍ତୁ ଦାରୁଣ ନିଦାଘକୁ ଖାତିର ନକରି ମନଖୋଲି ହସୁଛି କୃଷ୍ଣଚୂଡ଼ା। ତପ୍ତ ବୈଶାଖରେ ତା’ର ଜନ୍ମ, ଗ୍ରୀଷ୍ମ ପୂର୍ବାହ୍ନରେ ତାରୁଣ୍ୟ ଆଉ ମୁଣ୍ଡଫଟା ଖରାରେ ତା’ର ଯୌବନ। ସେ’ ପ୍ରେମକରେ ନିଦାଘକୁ। ପ୍ରଚଣ୍ଡ ରୌଦ୍ରତାପକୁ ଗର୍ଭସ୍ଥ କରି ନିଜେ ଜଳି ଜଳି ଅନ୍ୟ ପାଇଁ ହସେ। ଏହାରି ଭିତରେ ଏକ ବାର୍ତ୍ତା ରହିଛି – ନାରୀ ଜାତି ଏହି କୃଷ୍ଣଚୂଡ଼ା ପରି ଅନେକ ଯନ୍ତ୍ରଣାକୁ ଛାତିରେ ଚାପି ରଖି ନିଜ ପରିବାର ପାଇଁ ସମାଜ ପାଇଁ ହସି ହସି ସବୁ କାମ କରି ଯାଇଥାନ୍ତି। ଜୀବନ ଜୀଇଁବାର କଳା ସିଖାଇଥାଏ କୃଷ୍ଣଚୂଡ଼ା। ଦେବ ଯୋଗ୍ୟ ନହେଲେ ମଧ୍ୟ ଏହି ଅପୂର୍ବ ଫୁଲ ସହ ଯୋଡ଼ି ହୋଇଯାଇଛି ଯଦୁପତି ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କ ନାମ। କୃଷ୍ଣ ଯେପରି ସନାତନ ଧର୍ମଧାରାର ଲୋକଙ୍କ ପ୍ରୀୟ ସେମିତି ଏହି ଫୁଲ ଓ ଗଛ ସମସ୍ତଙ୍କର ପ୍ରୀୟ। ସମସ୍ତେ ତା’ର ହସରେ ବିମୋହିତ ହୋଇ ଯାଆନ୍ତି। କର୍ମକ୍ଲାନ୍ତ ଶରୀର କୃଷ୍ଣଚୂଡ଼ାକୁ ଦେଖି କ୍ଷଣିକ ପାଇଁ ଭୁଲିଯାଏ ଶାରୀରିକ ବେଦନା। ଓଡ଼ିଶାର ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ବଜାର ସବୁଠି ଶୋଭା ପାଉଛି ଏହି ବାସହୀନ ଫୁଲ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରାୟ ପ୍ରତ୍ୟେକ ଗାଁରେ ପସରା ମେଳିଛି କୃଷ୍ଣଚୂଡ଼ା। ରାସ୍ତାର ଦୁଇ ପାର୍ଶ୍ଵ ସହ ଗାଁର ଏଠି ସେଠି ରହି ଜନତାଙ୍କ ମନରେ ବାଣ୍ଟି ଚାଲିଛି ଆନନ୍ଦର ଢେଉ। ଶିଘ୍ର ବଢୁଥିବାରୁ ଏହି ଗଛକୁ ରାସ୍ତାକଡ଼ରେ ଲଗାଇବାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ତେବେ ଏହି ପ୍ରଜାତିର ରାଧାଚୁଡା (ହଳଦିଆ ଫୁଲ) ଝଡ ବାତ୍ୟାକୁ ସଜ୍ୟ କରି ପାରୁଥିବା ବେଳେ କୃଷ୍ଣଚୂଡ଼ା ସହ୍ୟ କରିପାରେ ନାହିଁ। ତେଣୁ ବିଦ୍ୟୁତ ଖୁଣ୍ଟ ଓ ତାର ପାଖରେ ଏହି ଗଛକୁ ନଲଗାଇଲେ ଭଲ। ତେବେ ସେ’ ଯାହାହେଉ ଗ୍ରୀଷ୍ମରେ ଏହି ଫୁଲକୁ ଦେଖି ଅନାମନା ହୋଇ ଯାଉଛି କବିର ମନ। ଲେଖି ପକାଉଛି କବିତା ଉପରେ କବିତା। ଭାବୁକ ଓ ପ୍ରେମିକ-ପ୍ରେମିକାଙ୍କ ମନରେ କୃଷ୍ଣଚୂଡ଼ାକୁ ନେଇ ସ୍ବପ୍ନ ଓ କଳ୍ପନାର ଅନ୍ତ ନାହିଁ। ଗ୍ରୀଷ୍ମର ତାତି ସହିତ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଝଟକୁଛି କୃଷ୍ଣଚୂଡ଼ା। ଏହାର ରଙ୍ଗରେ ରଙ୍ଗୀନ ହୋଇଛି ସାରା ଓଡ଼ିଶା। ଯାହା କବି ଓ ପ୍ରକୃତ ପ୍ରେମୀଙ୍କୁ କରିଛି ଆନମନା।

