ମାଟିର ମଙ୍ଗଳ ଓ ମେଘର ଆବାହନ ; ସର୍ଗିଗୁଡାରେ ବାଆଦି ଦେବଙ୍କ ‘ତେଲ ହଳଦି ଯାତ୍ରା’

କୋକସରା/କ୍ରାନ୍ତିକ୍ଷେତ୍ର : ମାଟି ମହକିବ, ଆକାଶରୁ ବର୍ଷାର ଅମୃତ ଧାରା ଝରିବ, ଆଉ ଚାଷୀ ଭାଇର ମୁହଁରେ ହସ ଫୁଟିବ, ଏହି ଅଗାଧ ବିଶ୍ୱାସକୁ ବୁକୁରେ ସାଉଁଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ସର୍ଗିଗୁଡାଠାରେ ଚଳିତ ବର୍ଷ ମଧ୍ୟ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି ବାଆଦି ଠାକୁରଙ୍କ ବାର୍ଷିକ ‘ତେଲ ହଳଦି ଯାତ୍ରା’। ପାରମ୍ପାରିକ ରୀତିନୀତି, ବାଦ୍ୟର ତାଳ ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ରବିବାର ଏହି କୃଷି ଭିତ୍ତିକ ପର୍ବ ସମଗ୍ର ଅଞ୍ଚଳବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା। ଆଦିବାସୀ ବହୁଳ ଏହି ସଂସ୍କୃତି ସମ୍ପନ୍ନ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସବୁବେଳେ ସ୍ୱତନ୍ତ୍ର। ପୂର୍ବପୁରୁଷଙ୍କ ସମୟରୁ ଚାଲିଆସୁଥିବା ଏହି ଭବ୍ୟ ଯାତ୍ରାକୁ ଅଞ୍ଚଳବାସୀ ଆଜି ବି ଅତି ଆଦରର ସହ ଜୀବନ୍ତ ରଖିଛନ୍ତି। ଆର୍ଥିକ ଅଭାବ କିମ୍ବା ସାମାଜିକ ଅନାଟନ, କୌଣସି ବି ବାଧା ଏହି ଶତାବ୍ଦୀ ପୁରୁଣା ପରମ୍ପରାର ଉତ୍ସାହକୁ ସାମାନ୍ୟତମ ଫିକା କରିପାରି ନାହିଁ। ଅଞ୍ଚଳର ବରିଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ପୂର୍ବରୁ ବୈଶାଖ ମାସ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୧୨ଟି ରବିବାର ବିତିବା ପରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିଲା। ମାତ୍ର ସମୟଚକ୍ରର ପରିବର୍ତ୍ତନ ସହ ଏବେ ଏହା ବୈଶାଖ ମାସ ତୃତୀୟା ଠାରୁ ସପ୍ତମ ରବିବାରରେ ସମାପନ କରାଯାଉଛି।

ଏହି ଯାତ୍ରାରେ ବାଆଦି ଠାକୁର ମୁଖ୍ୟ ଦେବତା ଭାବେ ପୂଜା ପାଉଥିବା ବେଳେ ଠାକୁରାଣୀ, ମାଟି ଦେବତା ଓ ବାରଭାଇ ଭିମସେନଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହି ପୂଜା କଲେ ଭଲ ବର୍ଷା ହେବା ସହ ଆଗାମୀ ଋତୁରେ ଉତ୍ତମ ଫସଲ ହେବ ଏବଂ ଅଞ୍ଚଳରେ ସୁଖ-ଶାନ୍ତି ବିରାଜମାନ କରିବ ବୋଲି ଦୃଢ଼ ଜନବିଶ୍ୱାସ ରହିଛି। ତେଲ ହଳଦିର ପବିତ୍ର ବିଧି ସମାପ୍ତ ହେବା ପରେ ପାରମ୍ପାରିକ ‘ଡାଲ ବୋହଲେନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ନୀତିକାନ୍ତିକୁ ମୁଖ୍ୟ ପୂଜକ ଦେବ ପୂଝାରୀ, ପାରେଶ୍ବର ପୂଝାରୀ ଏବଂ ପିତାମ୍ବର ପୂଝାରୀ ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦନ କରିଥିଲେ। କମିଟି ସଭାପତି ଧନବଲ ରାଜ ସିଂ, ଉପସଭାପତି ସହଦେବ ମାଝୀ, ସମ୍ପାଦକ ଶିବ ମାଝୀ, ସହ ସମ୍ପାଦକ ପ୍ରଫୁଲ୍ଲ ନାଏକ, କୋଷାଧ୍ୟକ୍ଷ ରତନ ଦିଶାରୀ ଏବଂ ମୁଖ୍ୟ ସଚେତକ ଋଷିମଣି ମାଝୀ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ଉଦ୍ଧବ ନାଏକ, ଧନବଲ ମାଝୀ, ଲଲିତ ନାଏକ, ପରକ୍ଷୀତ ବେଶ୍ରା, ଭୁଦେବ ବାଣୁଆ, କରୁଣ ଦିଶାରୀ, ତରୁଣ ମାଝୀ, କୃତିବାସ ମାଝୀ, ଦୁର୍ଯୋଧନ ବାଗ, ଡମ୍ବରୁଧର ଧ.ମାଝୀ, ଚନ୍ଦ୍ରମଣି ବେଶ୍ରା, ହନୁମାନ ବାଗ, ବେଣୁଧର ନାଏକଙ୍କ ସମେତ ସର୍ଗିଗୁଡା, ଦାବ୍ରିଗୁଡା ଓ ଆଖପାଖ ଗ୍ରାମର ଅଗଣିତ ଜନସାଧାରଣ ସାମିଲ ହୋଇ ପର୍ବର ଗାରିମା ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *