ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : ଚଳିତ ବର୍ଷ ମହାଆଡ଼ମ୍ବରରେ ପାଳିତ ହେବ ଶିବ-ପାର୍ବତୀଙ୍କ ବିବାହ ମହୋତ୍ସବ। କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ ପକ୍ଷରୁ ଏଥିପାଇଁ ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଦ୍ୱିତୀୟ ତମ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରିବାକୁ ଯାଉଛି ସମାଜ। ଏନେଇ ଏକ ଭବ୍ୟ ପ୍ରସ୍ତୁତି ବୈଠକ ଜୁନାଗଡ଼ ସହରର ଲଙ୍କେଶ୍ୱରୀ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡରା ମାଳି ସମାଜ ପକ୍ଷରୁ ଚଳିତ ବର୍ଷର ଦ୍ୱିତୀୟ ତମ ଶୀତଳ ଷଷ୍ଠୀ ତଥା ଶିବ-ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବକୁ କିଭଳି ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରାଯାଇପାରିବ, ସେ ନେଇ ଏଠାରେ ବିସ୍ତୃତ ଆଲୋଚନା କରାଯାଇଛି। ସମାଜର ସମସ୍ତ ୩୬ ବର୍ଗର ବନ୍ଧୁ, ଭାଇ ଓ କୁଟୁମ୍ବ ଏକାଠି ହୋଇ ଏହି ଦେବ ଦମ୍ପତିଙ୍କ ବିବାହ ଉତ୍ସବକୁ ମହାଆଡ଼ମ୍ବରରେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଜିଲ୍ଲା ସଭାପତି ଈଶ୍ୱର ପୂଝରୀ, କୁଳପତି ପ୍ରକାଶ ନାଏକ, ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ ଏବଂ ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ପ୍ରମୁଖ ଯୋଗଦେଇ ଉତ୍ସବର ସଫଳତା ପାଇଁ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରସ୍ତୁତି ବୈଠକରେ ଲୋକେଶ ନାଏକ, ବିପୁଳ ବଣିଆ, ବେଣୁଧର ମଶ୍ରା, ବେଣୁଧର ଟୋଲଟିଆ, ଭୂପତି ବୋଡେ଼କ, ଖୁସିରାମ ଟୋଲଟିଆ, ଧବଳେଶ୍ୱର ନାଏକ, ସୁବାସ ନାଏକ, ଦୁଷ୍ମନ୍ତ ବଣିଆ, ଶ୍ରବଣ ପୂଝାରୀ, ବିଷ୍ଣୁ ନାଏକ, ରୋହିତ ନାଏକ, ସଲ୍ୟ ନାଏକ, ବିମ୍ବାଧର ପୂଝରୀ ଏବଂ ଲୋଚନ ନାଏକଙ୍କ ସମେତ ସମାଜର ଅନେକ ବରିଷ୍ଠ ତଥା ଯୁବ କର୍ମକର୍ତ୍ତା ଉପସ୍ଥିତ ରହି ସକ୍ରିୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଏହି ଶୀତଳ ଷଷ୍ଠୀ ଯାତ୍ରା ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ଓ ଆନନ୍ଦଉଲ୍ଲାସର ପରିବେଶ ସୃଷ୍ଟି କରିବ ବୋଲି ସମାଜ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ତେବେ ଏହି ଭବ୍ୟ ଦେବ ବିବାହକୁ ନେଇ ଏବେଠାରୁ ହିଁ ଶ୍ରଦ୍ଧାଳୁ ଓ ସମାଜର ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

