ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ବହୁ ଚର୍ଚ୍ଚିତ ନିଖିଲ ହାଡ଼ାପ୍ପା ହତ୍ୟାକାଣ୍ଡ ଘଟଣାରେ ରାୟଗଡା ପୋଲିସକୁ ବଡ଼ ସଫଳତା ମିଳିଛି। ଆନ୍ତଃରାଜ୍ୟ ମ୍ୟାନହଣ୍ଟ ଅଭିଯାନରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ବିହାର, ଆନ୍ଧ୍ରପ୍ରଦେଶ, କଳାହାଣ୍ଡି ଓ ରାୟଗଡାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।ଗତ ମେ ୯ ତାରିଖରେ ନିଖିଲ ହାଡ଼ାପ୍ପାଙ୍କୁ ଅପହରଣ କରାଯାଇଥିବା ବେଳେ ପରଦିନ ତାଙ୍କ ମୃତଦେହ ତୁମ୍ବିଗୁଡା ନିକଟ ନାଗାବଳୀ ନଦୀ କୂଳରୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୂର୍ବ ଶତ୍ରୁତା ଓ ଜୁଆ ମାମଲାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସହ ୩ ଜଣଙ୍କୁ ବିହାରର ଔରଙ୍ଗାବାଦରୁ, ୪ ଜଣଙ୍କୁ ବିଶାଖାପଟ୍ଟଣମରୁ, ଜଣେ କଳାହାଣ୍ଡିର କେସିଙ୍ଗାରୁ ଓ ଜଣେ ରାୟଗଡାରୁ ଧରାଯାଇଛି। ପୋଲିସ ଦୁଇଟି ଗାଡ଼ି, ଗୋଟିଏ ପିସ୍ତଲ, ୧୧ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ରାୟଗଡା ଏସପି ସ୍ୱାଥୀ ଏସ କୁମାରଙ୍କ ନେତୃତ୍ୱରେ ଗଠିତ ଏକାଧିକ ଟିମ୍ ଏହି ଅପରେସନ କରିଥିଲେ। ପୋଲିସ କହିଛି, ଘଟଣାର ତଦନ୍ତ ଜାରି ରହିଛି ଓ ଆଗାମୀ ଦିନରେ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି।

