ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଗୁଡାରୀ ନୂଆ ବସ ଷ୍ଟାଣ୍ଡ ନିକଟ ତୁମ୍ବୁଲୁପାଡୁ ତୋଟା ପରିସରରେ ବିଏମଏସ ଗୁଡାରୀ ବ୍ଳକର ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ସମ୍ମାନିତ ଅତିଥି ଭାବେ ବିଏମଏସ ଜିଲ୍ଲା ସଭାପତି ମୋହନ ରାଓ ମାଝୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ରମାଦେବୀ ବାଉରୀ, ନିରଞ୍ଜନ ସେନାପତି, ଗୀତାଞ୍ଜଳି ହିଆଲ , ତମାଲ ସାହୁକାର ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ମା”ଭାରତୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବିଏମଏସ ପ୍ରତିଷ୍ଠାତା ପରମ ପୂଜନୀୟ ଦନ୍ତୋପନ୍ତ ଠେଙ୍ଗେଡେଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବ୍ଲକ ସଂଘ ପକ୍ଷରୁ ଅତିଥି ତଥା ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ପରିଚୟ ପରେ ମଞ୍ଚର ସଭାପତି ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନୂତନ କମିଟି ଗଠନ ଉପରେ ଆଲୋକପାତ କରିଥିଲେ। ପରେ ଅତିଥିମାନେ ଭାରତୀୟ ମଜଦୂର ସଂଘର ସ୍ୱର୍ଣୀମ ଇତିହାସ, ବିଚାରଧାରା, ବଳିଷ୍ଠ ପୃଷ୍ଠଭୂମି, ସୁଚିନ୍ତିତ କାର୍ଯ୍ୟଧାରା, ରାଷ୍ଟ୍ରୀୟ ଭାବନା, ଔଦ୍ୟୋଗିକ ଏବଂ ଶ୍ରମିକ ହିତ ନୀତି ଉପରେ ଆଲୋକପାତ କରିବା ସହ ଏକ ଶୃଙ୍ଖଳିତ, ପରିଶ୍ରମୀ ଓ ରାଷ୍ଟ୍ରଵାଦୀ ଶ୍ରମିକ ମାନଙ୍କ ଦିବ୍ୟ ଭାବନା, ପରମ କର୍ତ୍ତବ୍ୟ ଓ ସ୍ଵ ଅଧିକାର ଉପରେ କହିଥିଲେ।ପରେ ଆଶା, ଅଙ୍ଗନୱଡ଼ି, ପାଚିକା, ହସ୍ପିଟାଲ କର୍ମଚାରୀ ସଂଘ, ରାଜମେସ୍ତ୍ରୀ ସଂଘ, ସିଆର୍ପି ସଂଘ, ସ୍ୱାବଲମ୍ବୀ କାରିଗରୀ ସଂଘ, ନିର୍ମାଣ ଶ୍ରମିକ ସଂଘ, ବିଶ୍ଵକର୍ମା ମଜଦୂର ସଂଘ, କୁଲି ମଜଦୂର ସଂଘ, ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ରାଷ୍ଟ୍ରଵାଦୀ ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସର୍ବସମ୍ମତି କ୍ରମେ ଗୁଡାରୀ ବ୍ଲକ ସଭାପତି ଭାବେ ପ୍ରମୋଦ କୁମାର ପତି, ଉପସଭାପତି ସୁଶାନ୍ତ କୁମାର ପାଣିଗ୍ରାହୀ, ସମ୍ପାଦକ ସୁଶାନ୍ତ କୁମାର ନାୟକ, ସହ ସମ୍ପାଦକ ରଞ୍ଜନ ବେହେରା, କୋଷାଧ୍ୟକ୍ଷ ଶୁଭଦ୍ରା କଅଁର ଓ ସଂଗଠନ ସମ୍ପାଦିକା ଭାବେ ରମାଦେବୀ ବାଉରୀଙ୍କ ସହ ସାତ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା।ଉପସ୍ଥିତ ଶ୍ରମିକ ନେତାମାନେ ନୂତନ କାର୍ଯ୍ୟକାରିଣୀ ମଣ୍ଡଳୀଙ୍କୁ ଉଷ୍ପଗୁଛ, ଅଙ୍ଗବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ। ନୂତନ ସଭାପତି ପ୍ରମୋଦ କୁମାର ପତି ସଭାପତିତ୍ବ ଅଭିଭାଷଣରେ କହିଥିଲେ ସଭିଙ୍କ ସହଯୋଗରେ ରାଷ୍ଟ୍ର ହିତ, ଔଦ୍ୟୋଗିକ ହିତ ଓ ଶ୍ରମିକ ହିତ ପାଇଁ ସଂଗ୍ରାମ କରିବେ। ପ୍ରତ୍ୟେକ ଶ୍ରମିକ ଆଜିଠାରୁ ତାଙ୍କ ପରିବାର ସଦସ୍ୟ ଏଣୁ ପ୍ରତ୍ୟେକ କ୍ଷେତ୍ରରେ ସେ ସେମାନଙ୍କ ସହିତ ଉପସ୍ଥିତ ରହିବେ ବୋଲି କହିଥିଲେ। ସ୍ଥାନୀୟ ସାମ୍ବାଦିକ ପ୍ରସାଦ ଲିମା, ଲୋକନାଥ ସାହୁ, ମକରଧ୍ଵଜ କାଦମ୍ବାଲୁ ଏବଂ ଶ୍ରୀନିବାସ ପାଢ଼ୀଙ୍କୁ ସମ୍ବର୍ଦନା ଜ୍ଞାପନ କରିବା ସହ ପର୍ଯ୍ୟାବରଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି।ବ୍ଳକ ସମ୍ପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

