ପ୍ରାଚୀନ କୃଷି ସଭ୍ୟତାର ମହାପାର୍ବଣ ‘ଆଷାଢ଼କେନା’ – ମଣ୍ଡେଇ ଯାତ୍ରା ମାଧ୍ୟମରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ବସ୍ତରେନ ମାଉଳୀ

କୋକସରା/କ୍ରାନ୍ତିକ୍ଷେତ୍ର : ସମୟ ସହିତ ତାଳ ଦେଇ ସଭ୍ୟତା ବଦଳିଛି। ଏହି ସହିତ ବଦଳିଛି ଲୋକଙ୍କ ଚାଲିଚଳନ କିନ୍ତୁ ଆଜି ବି ପ୍ରାଚୀନ କୃଷି ସଭ୍ୟତାର ଏକ କ୍ଷିଣ ଶ୍ରୋତ ପ୍ରବାହିତ ହେଉଛି କଳାହାଣ୍ଡିର କୋକସରା ଅଞ୍ଚଳରେ। ଆଦି କୃଷି ସଭ୍ୟତାର ମହାପାର୍ବଣ ‘ଆଷାଢ଼କେନା’ ଯାତ୍ରା ହେଉଛି ଏହାର ନିଦର୍ଶନ। ଆଦ୍ୟ ବର୍ଷା ଭିଜା ମାଟିର ବାସ୍ନାରେ ବିଭୋର ହୋଇ ଉଠିଛି ଚାଷୀର ତନୁମନ। କାଳିଆ କଶରା ବଳଦକୁ ନେଇ ଜମି ପ୍ରସ୍ତୁତ କରୁଛି ଚାଷୀ। କୋକସରା ବ୍ଲକର ପ୍ରାୟ ପ୍ରତେକ ସ୍ଥାନରେ ଆଗେଇ ଚାଲିଛି ଧାନ ବୁଣା ଓ ତଲିପକା କାର୍ଯ୍ୟ। ତେବେ ଅପେକ୍ଷା ରହିଛି ଟେମରା ଗାଁର ଆଷାଢ଼କେନା ଯାତ୍ରାକୁ। କୃଷି ସଭ୍ୟତା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପ୍ରାଚୀନ ପାର୍ବଣ ପରେ ହିଁ ଆରମ୍ଭ ହୋଇଥାଏ ଧାନ ବେଉଷଣ ଓ ତଲି ରୋପଣ କାର୍ଯ୍ୟ।  ଆଷାଢ଼ ଶୁକ୍ଳ ଦଶମୀରେ ନବଦିନ ଯାତ୍ରା ସମାପନ କରି ଜନ୍ମ ବେଦିରୁ ଶ୍ରୀମନ୍ଦିର ବାହୁଡି ଥାନ୍ତି ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ଅନୁକ୍ରମେ ବାହୁଡାଯାତ୍ରା ପର ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗାଁରେ ପାଳିତ ହୋଇଥାଏ ଦେବୀ ବସ୍ତରେନ ମାଉଳୀଙ୍କ ବାର୍ଷିକ ମଣ୍ଡେଇ ଓ ଆଷାଢ଼ କେନା ଯାତ୍ରା। ଦେବୀ ମାଉଳୀଙ୍କ ଯାତ୍ରା ପଡୋଶୀ ଛତିଶଗଡର ଦନ୍ତେବାଡା ସହିତ ଜଡ଼ିତ ହୋଇରହିଛି। ସେହିପରି ଭାବେ ଆଷାଢ଼କେନା ଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଆଦିବାସୀ ସମ୍ପ୍ରଦାୟର ପୂଜକ ଓ ଅନ୍ୟାନ୍ୟ ସେବାକାରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ। ପ୍ରଥମେ କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଠାରୁ ଲାଠି କାଲିଶୀ ଗାଁର ଗୌନ୍ତିଆ ଓ ପୁଝାରୀ ଘରକୁ ଆସିଥାଏ। ସେହିପରି ଭାବେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆମନ୍ତ୍ରିତ ହୋଇଥିବା ଦେବା ଦେବୀମାନେ ମଧ୍ୟ ଏହି ସ୍ଥାନରେ ପହଞ୍ଚିଥାନ୍ତି। ସେଠାରେ ଗୌନ୍ତିଆ ପରିବାର ପକ୍ଷରୁ ସ୍ବାଗତ ଓ ଯଥା ମାନ୍ୟ ପ୍ରଦାନ କରିବା ପରେ ସାମୁହିକ ଭାବେ ଲାଠି କାଲିଶୀମାନେ ବସ୍ତେରେନ ମାଉଳୀଙ୍କ ମନ୍ଦିରକୁ ଯାଇଥାନ୍ତି। ପ୍ରାଥମିକ ପୂଜାର୍ଚ୍ଚନା ପରେ ଦେବାଦେବୀଙ୍କ ଲାଠି କାଲିଶୀ ସହ ମଣ୍ଡେଇ ହାଟକୁ ତିନି ଥର ପରିକ୍ରମା କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ପରିକ୍ରମା କରିବା ଦ୍ବାରା ଅନ୍ତର୍ନିହିତ ଶକ୍ତି ଓ ଉର୍ଜା ବଢ଼ିଥାଏ, ଯାହା ମନୁଷ୍ୟକୁ ସକରାତ୍ମକ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଏ। ଆଗକୁ ଚାଷ ବାସ ଯୋର ସୋରରେ ଚାଲିବ। ଏହା ପୂର୍ବରୁ ଚାଷୀର ଉର୍ଜା ବଢ଼ାଇବା ପାଇଁ ଏହି ଯାତ୍ରାର ପରିକଳ୍ପନା କରାଯାଇ ପାରିଥାଏ ବୋଲି ଅନୁମାନ କରାଯାଏ। ଦେବା ଦେବୀମାନେ ପୀଠକୁ ଫେରିଆସି କଣ୍ଟା ଦୋଳିରେ ଝୁଲିଥାନ୍ତି। ଏହାପରେ ମାନସିକଧାରୀ ଭକ୍ତମାନେ ପୂର୍ବରୁ କରିଥିବା ମାନସିକ ପୁରଣ ହେତୁ ଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ଆକାରରେ ବୋଦା, କୁକୁଡା, ପାରା ଓ ଶୁକ୍ଲ ଭୋଗରେ ନଡିଆ, କଦଳୀ, ଗଜା ମୁଆଁ ଇତ୍ୟାଦି ନବୈଦ୍ୟ ରୁପରେ ଅର୍ପଣ କରନ୍ତି। କୁହାଯାଏ ଯେତେବେଳେ ଏଠି ନାଗବଂଶୀ ରାଜାମାନେ ଶାସନ କରୁଥିଲେ ସେହି ସମୟରେ ନାଗବଂଶୀ ରାଣୀ ଏଠି ସତୀ ହୋଇଥିଲେ ଏବଂ ତାଙ୍କର ଗୋଟିଏ ସତୀ ଚଉଁରା ରହିଥିଲା। ସେହି ସତୀ ଚଉଁରା ଉପରେ ଦେବୀ ବସ୍ତରେନ୍ ମାଉଲିଙ୍କ ପ୍ରତିମୃର୍ତ୍ତି ସ୍ଥାପନ ହୋଇଥିବା ଜନ ସୃତିରୁ ଜଣାଯାଏ। ଏହି ଦେବୀଙ୍କୁ ଦନ୍ତେବାଡାରୁ ଅଣାଯାଇଥିଲା ଏବଂ କାହିଁ କେତେ ଆବାହମାନ କାଳରୁ ଦେବୀଙ୍କ ପୂଜା କରା ଯାଉଥିବାବେଳେ ଦେବୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି ବୋଲି ଗ୍ରାମବାସୀ କୁହନ୍ତି। ଦେବୀଙ୍କ ପାଖରେ ଯେଉଁ ମନସ୍କାମନା କରାଯାଏ ତାହା ପୂର୍ଣ୍ଣ ହୋଇଥାଏ, ଏବଂ ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଚାଷ ମଧ୍ୟ ଭଲ ଉତ୍ପାଦନ ହେଇଥାଏ ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *