୬ଷ୍ଠ ନ୍ୟାସନାଲ ଆମେଚର ଗେମ୍ : ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରି ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର ପରିଡ଼ା ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍ୱର୍ଗତ କୁଳମଣି ପରିଡ଼ାଙ୍କ ସାନପୁଅ ଦିଲ୍ଲୀପ, ଆସନ୍ତା ଅଗଷ୍ଟ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବାକୁ ଥିବା “୬ଷ୍ଠ ନ୍ୟାସନାଲ ଆମେଚର ଗେମ୍ସ” ପାଇଁ ଓଡ଼ିଶା ରୁ  ମନୋନୀତ ହୋଇଛନ୍ତି। ପୂର୍ବରୁ ଆଣିଛନ୍ତି ଅନେକ ସଫଳତା ଦିଲ୍ଲୀପ ପୂର୍ବରୁ ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଚାମ୍ପିଅନସିପରେ ଦମଦାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତି ଦେଶ, ରାଜ୍ୟ ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ। ଏହା ବ୍ୟତୀତ ସେ ଦୁଇଟି ଜାତୀୟ ଚାମ୍ପିଅନସିପରେ ଅଂଶଗ୍ରହଣ କରି ଗୋଟିଏ ରୌପ୍ୟ ପଦକ ହାସଲ କରିସାରିଛନ୍ତି। ଏହାସହ ଅନେକ ସିନିୟର ଏବଂ ଜୁନିଅର ରାଜ୍ୟସ୍ତରୀୟ ଚାମ୍ପିଅନସିପରେ ମଧ୍ୟ ନିଜର ଶ୍ରେଷ୍ଠ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ସେ ପ୍ରଶଂସିତ ହୋଇଛନ୍ତି।  ରାଜସ୍ଥାନର ଜୟପୁର ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ଜିତିବା ନେଇ ଦିଲ୍ଲୀପ ବେଶ୍ ଆଶାବାଦୀ ଅଛନ୍ତି। ତାଙ୍କର ଏହି କ୍ରମାଗତ ସଫଳତା ପାଇଁ କଲ୍ୟାଣସିଂହପୁର ଅଞ୍ଚଳବାସୀ, ସ୍ଥାନୀୟ କ୍ରୀଡ଼ାପ୍ରେମୀ ଏବଂ ଶୁଭେଚ୍ଛୁମାନେ ତାଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *