ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର) : ସାଧାରଣତଃ ଖବର ସଂଗ୍ରହ ପାଇଁ ଗଣମାଧ୍ୟମର ପ୍ରତିନିଧିମାନେ ବାଇକ୍ କିମ୍ବା ଚାରିଚକିଆ ଯାନରେ ‘ପ୍ରେସ୍ (PRESS)’ ଲେଖି ଯାତାୟାତ କରିବା ନିୟମିତ ଦେଖିବାକୁ ମିଳିଥାଏ। ମାତ୍ର ବେଆଇନ କାରବାର ପାଇଁ ଏକ ଟ୍ରାକ୍ଟରରେ ପ୍ରେସ୍ ଲେଖାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ପୁଲିସ ଓ ପ୍ରଶାସନର ଚେକିଂରୁ ବଞ୍ଚିବା ପାଇଁ ଅପରାଧୀଙ୍କ ଏଭଳି ନୂଆ ଅଭିନବ ଉପାୟକୁ ନେଇ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂର ଏମ୍ପିଭି-୩୩ ଗ୍ରାମ ନିକଟରେ ପୁଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଯାଞ୍ଚ କରାଯାଉଥିଲା। ଏହି ସମୟରେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ପୁଲିସ ଅଟକାଇଥିଲା। ତଦନ୍ତ ବେଳେ ବାଲି ଚାଲାଣ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ ଘଟଣାସ୍ଥଳରୁ ଗିର୍କାନପାଲ୍ଲୀ ଗ୍ରାମର ବିଷ୍ଣୁ ଝରାବାଲା (୨୩) ଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଟ୍ରାକ୍ଟରରେ କୌଣସି ପଞ୍ଜୀକରଣ ନମ୍ବର ପ୍ଲେଟ୍ ନଥିଲା। ବରଂ ପୁଲିସ ଆଖିରେ ଧୂଳି ଦେବା ପାଇଁ ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟ୍ରେ ବଡ଼ ବଡ଼ ଅକ୍ଷରରେ ‘ପ୍ରେସ୍’ ଲେଖାଯାଇଥିଲା। ବାଲି ଚାଲାଣ ଭଳି କାମରେ ଟ୍ରାକ୍ଟର ବ୍ୟବହାର କରି ସେଥିରେ ଗଣମାଧ୍ୟମର ନାଁ ଲଗାଇବା ଘଟଣା ସାଧାରଣରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

