ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ. ରବି କୁମାର ) : ଭାରତ ବନ୍ଦ ବେଳେ ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲକୁ ରୋଗୀ ନେଇ ଯାଉଥିବା ଗାଡ଼ିକୁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଅଟକାଇ ଯାଞ୍ଚ କରିଛନ୍ତି। ଗାଡ଼ିରେ ଏକାଧିକ ରୋଗୀ ଥିବା ଜଣାପଡ଼ିଥିଲା। ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, କିଛି ଏଜେଣ୍ଟ ଗାଁର ଆଦିବାସୀ ରୋଗୀଙ୍କୁ ଭଲ ଚିକିତ୍ସାର ପ୍ରଲୋଭନ ଦେଖାଇ ଆନ୍ଧ୍ର ଓ ହାଇଦ୍ରାବାଦ ନେଉଛନ୍ତି। ସେଠାରେ ଆୟୁଷ୍ମାନ କାର୍ଡ ଜରିଆରେ ଚିକିତ୍ସା, ଅପରେସନ ଓ ଔଷଧ ନାଁରେ ଲକ୍ଷ ଲକ୍ଷ ଟଙ୍କା କ୍ଲେମ୍ କରାଯାଉଥିବା ସେ କହିଛନ୍ତି। ଘଟଣା ନେଇ ବିଧାୟକ ଏସ୍ପିଙ୍କ ସହ ଯୋଗାଯୋଗ କରି ରୋଗୀଙ୍କ କାର୍ଡ ଓ ଚିକିତ୍ସା ଖର୍ଚ୍ଚ ଯାଞ୍ଚ ସହ ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ତେବେ ଏଭଳି କାରବାର ଯଦି ଦୀର୍ଘଦିନ ଧରି ଚାଲିଛି, ତେବେ ପ୍ରଶାସନ ଏ ସମ୍ପର୍କରେ କିପରି ଅବଗତ ନଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
