ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ସିନ୍ଧିପଦର ପଞ୍ଚାୟତର ବାର୍ଷିକୋନା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ୧୬ ବର୍ଷୀୟା କିଶୋରୀଙ୍କ ମୃତ୍ୟୁ ଘଟିଥିବା ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ବାର୍ଷିକୋନା ଗ୍ରାମର ଓଲା ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀ ମାଝୀ ଗୁରୁବାର ରାତିରେ ପ୍ରତିଦିନ ଭଳି ରାତ୍ରି ଭୋଜନ ସାରି ଆଉ ୬ ଜଣ ସାଙ୍ଗଙ୍କ ସହ ଏକ କୋଠରୀରେ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଅବଗତ ହୋଇଥିଲେ ମଧ୍ୟ ପ୍ରାରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସାଧାରଣ ଥିବାରୁ ବିଷୟଟିକୁ ଗୁରୁତ୍ୱ ଦେଇନଥିଲେ। କିନ୍ତୁ ଶୁକ୍ରବାର ସକାଳେ ମାଧୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକ ତାଙ୍କୁ ଅପରାହ୍ନରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଥୁଆମୂଳ ରାମପୁର ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁରକୁ ପଠାଇଛି। ଏନେଇ ପୁଲିସ ପକ୍ଷରୁ ଆବଶ୍ୟକୀୟ ତଦନ୍ତ ଜାରି ରହିଛି। ଗ୍ରାମରେ ଏଭଳି ଦୁଃଖଦ ଘଟଣା ପରେ ଶୋକର ଛାୟା ଖେଳିଯାଇଥିବା ବେଳେ ବର୍ଷା ଋତୁରେ ସାପ କାମୁଡା ଘଟଣା ପ୍ରତି ସଚେତନ ରହିବା ଏବଂ ସାପ କାମୁଡିଲେ ବିଳମ୍ବ ନକରି ତୁରନ୍ତ ଚିକିତ୍ସାଳୟକୁ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।

