କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ଲାଞ୍ଜିଗଡ଼ ବ୍ଲକରେ ହାତୀ ଉପଦ୍ରବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ବିଳମ୍ବିତ ରାତିରେ ପିଡେଲବାଜୁ ଗାଁରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ପ୍ରାଣହାନି ଘଟିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଜଙ୍ଗଲୀ ହାତୀ ପିଡେଲବାଜୁ ଗ୍ରାମରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲା। ଏହି ସମୟରେ ଗାଁର ତିଲେଇ ହରିଜନ (୬୦) ନାମକ ଜଣେ ବୃଦ୍ଧାଙ୍କୁ ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାସହ ହାତୀଟି ଗାଁର ଅନେକ ଘର ଭାଙ୍ଗି ନଷ୍ଟ କରିଦେଇଛି। ଦୀର୍ଘଦିନ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲେ ସୁଦ୍ଧା ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇପଡ଼ିଛନ୍ତି। ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ସକାଳୁ କୁମଖାଲ ପଞ୍ଚାୟତର ଖଜୁରୀଗୁଡ଼ା ନିକଟରେ ଅଞ୍ଚଳବାସୀ ରାସ୍ତା ରୋକ କରିଛନ୍ତି। ଫଳରେ ବିଶ୍ୱନାଥପୁର-ବିଜେପୁର-କଲ୍ୟାଣସିଂପୁର ମୁଖ୍ୟ ସଡ଼କରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଅଞ୍ଚଳରୁ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଓ ପୋଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

