ଦିବ୍ୟାଙ୍ଗ ପ୍ରେମଶିଳାଙ୍କୁ ସାହା ହେଉନି ପ୍ରଶାସନ ; ଯୋଗ୍ୟ ହୋଇ ବି ଆବାସ ଓ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ 

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ଗ୍ରାମ ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗ୍ରାମର ଲଳିତ ନାଏକଙ୍କ ଝିଅ ପ୍ରେମଶିଳା ନାଏକ ୯୦ ପ୍ରତିଶତ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ସରକାରୀ ଆବାସ ଯୋଜନା ଓ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି। ପ୍ରେମଶିଳାଙ୍କ ପିତା ଲଳିତ ନାଏକ ଓ ମାତା ମାଗୁଣି ନାଏକ ଅତ୍ୟନ୍ତ ଗରିବ ଓ ନିରୀହ ଶ୍ରେଣୀର ହୋଇଥିବାବେଳେ କଷ୍ଟରେ ସେମାନଙ୍କ ଦୈନନ୍ଦିନ ପରିବାର ଚଳିଥାଏ। ଝିଅର ସୁରକ୍ଷା ଓ ରହିବା ପାଇଁ ଗୋଟିଏ ଆବାସ ଗୃହ ଯୋଗାଇଦେବାକୁ ଦୀର୍ଘ ବର୍ଷ ହେବ ସେମାନେ ପଞ୍ଚାୟତ ପ୍ରଶାସନ ନିକଟରେ ନେହୁରା ହୋଇଆସୁଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହିଁ। ନିକଟରେ ପଞ୍ଚାୟତ ପକ୍ଷରୁ ପ୍ରକାଶିତ ସଦ୍ୟ ଆବାସ ଯୋଜନା ତାଲିକାରୁ ମଧ୍ୟ ପ୍ରେମଶିଳାଙ୍କ ନାମ ବାଦ୍ ପଡ଼ିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ୯୦ ପ୍ରତିଶତ ଦିବ୍ୟାଙ୍ଗତା ଥାଇ ମଧ୍ୟ ପ୍ରେମଶିଳାଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ନିୟମାନୁସାରେ ୩୫୦୦ ଟଙ୍କାର ବର୍ଦ୍ଧିତ ଭତ୍ତା ମିଳୁନାହିଁ। ସେ’ ମାତ୍ର ୧୨ଶହ ଟଙ୍କା ଭତ୍ତା ପାଉଛନ୍ତି। ଫଳରେ ତାଙ୍କର ନିୟମିତ ଔଷଧପତ୍ର କିଣିବା ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଖର୍ଚ୍ଚ ତୁଲାଇବାରେ ପରିବାର ପ୍ରତି ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ପ୍ରେମଶିଳା ନୁହଁନ୍ତି, ବରାଡ଼ଙ୍ଗା ଗ୍ରାମ ପଞ୍ଚାୟତର ଅନେକ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଶୋଚନୀୟ ଜୀବନଯାପନ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ କୋକସରା ବ୍ଲକ ଓ ପଞ୍ଚାୟତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରେମଶିଳାଙ୍କୁ ଆବାସ ଗୃହ ସହ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *