କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଲେକାଆମ ଗାଁ ରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଦୁଃଖଦ ଘଟଣା। ଗାଁ ଟି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରେ ରହିଥିବା ବେଳେ ଏହି ଗାଁ ର ସମ୍ବାରୁ ସାନ୍ତା ଙ୍କ ପତ୍ନୀ ଦୂର ସାନ୍ତା (୩୫) ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ସମ୍ବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲା ମୈଦଲପୁର ସିଏଚସି ରୁ ୧୦୮ ଆମ୍ବୁଲାନ୍ସ ମହିଳା ଙ୍କୁ ଡାକ୍ତରଖାନା ଆଣିବା ପାଇଁ ଯାଇଥିବା ବେଳେ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ନଥବାରୁ ୨ କିମି ଦୁର ମାଳିଆମ୍ବ ଗାଁ ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା। ତେବେ ଆମ୍ବୁଲାନ୍ସ ର ଡ୍ରାଇଭର ଡମ୍ବରୁ ହରିଜନ ଗାଁ କୁ ଚାଲି ଚାଲି ଯିବା ସହ ଗର୍ଭବତୀ ମହିଳାଙ୍କ ପରିବାର ଲୋକଙ୍କ ସହ ଏକ ଖଟିଆ ରେ ୨ କିମି ପ୍ରସୂତି ମହିଳା ଙ୍କୁ ବୋହି ଆଣି ଆମ୍ବୁଲାନ୍ସ ରେ ପରେ ମୈଦଲପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମହିଳା ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ଉଭୟ ମା ଓ ଝିଅ ସୁସ୍ଥ ଥିବା ଜଣାପଡିଛି। ତେବେ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ମାନବିକତା ନିଶ୍ଚୟ ଅନ୍ୟ କର୍ମଚାରୀ ଙ୍କ ପାଇଁ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛି। ସୂଚନାମତେ କୋକସରା ବ୍ଲକ ଆମପାଣି ପଞ୍ଚାୟତ ରେ ଥିବା କୁଟରୁ, ଲେକାଆମ, ବାଘ ଝରଣ, ସର୍ଗିପାନୀ, ଆନ୍ଧିଝରଣ, ଗୋଇଚଞ୍ଚରା ଭଳି ଦୁର୍ଗମ ଗିରି ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ଜନଜାତି ଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ପଡ଼ିଥିବା ବେଳେ ଅନେକ ସମୟରେ ଏଭଳି ରୋଗୀ ହେଉ ଅବା ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବା ଘଟଣା ଚିରାଚରିତ ହୋଇପଡିଛି। ଏହି ଗାଁ ଗୁଡିକ ରୁ ଆମପାଣି ପଞ୍ଚାୟତ ୧୨ କିମି ଥିବାବେଳେ କୋକସରା ସିଏଚସି ୨୪ କିମି ରହିଛି। ତେବେ ପଡୋଶୀ ନବରଙ୍ଗପୁର ଜିଲ୍ଲା ମୈଦଲପୁର ସିଏଚସି ମାତ୍ର ୪/୫ କିମି ରହିଥିବା ବେଳେ ଏହି ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟ ସେବା ତଥା ଅନ୍ୟ ଦୈନନ୍ଦିନ ଜୀବିକା ପାଇଁ ମୈଦଲପୁର ଉପରେ ନିର୍ଭର କରୁଛନ୍ତି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏସବୁ ଗାଁ କୁ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

