ଗୋଲାମୁଣ୍ଡା ବ୍ଲକସ୍ତରୀୟ କୃଷକ ସମ୍ବାଦ ଉତ୍ସବ ଓ ଜୈବିକ ସାର କର୍ମଶାଳା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ବ୍ଲକସ୍ତରୀୟ କୃଷକ ସମ୍ବାଦ ଉତ୍ସବ ଏବଂ ଜୈବିକ ସାର ପ୍ରଶିକ୍ଷଣ କର୍ମଶାଳା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ପ୍ରଗତିଶୀଳ ଚାଷୀ ଓ ମହିଳା କୃଷକ ଅଂଶଗ୍ରହଣ କରିଥିଲେ। ମାଟିର ସ୍ୱାସ୍ଥ୍ୟ ରକ୍ଷା କରିବା ସହ କମ୍ ଖର୍ଚ୍ଚରେ ବିଷମୁକ୍ତ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନପ୍ରତିନିଧି ଏବଂ ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ତ୍ରିପୁର ମହାନନ୍ଦ, ଏବିଡ଼ିଓ ବିଜୟ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରସନ୍ନ ରାଉତ, ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ବୈଶାଖୁ କେତକୀ, ବିଜେପି କୃଷକ ମୋର୍ଚ୍ଚା ବ୍ଲକ ସଂଯୋଜକ ଜୟନ୍ତ ସିଂ, ବରିଷ୍ଠ ସାମ୍ବାଦିକ ସୁଧିର ପ୍ରସାଦ ସାହୁ ଏବଂ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ଜୈବିକ ସାର, କମ୍ପୋଷ୍ଟ ଏବଂ ଜୀବାମୃତ ପ୍ରସ୍ତୁତି ସମ୍ପର୍କରେ ପ୍ରାୟୋଗିକ ତାଲିମ ପ୍ରଦାନ କରିଥିଲେ। ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ଦ୍ୱାରା ମାଟିର ଉର୍ବରତା ନଷ୍ଟ ହେଉଥିବାରୁ, ଚାଷୀମାନେ କିଭଳି ଜୈବିକ ପଦ୍ଧତି ଆପଣେଇ ନିଜର ଆୟ ଦ୍ୱିଗୁଣିତ କରିପାରିବେ, ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉତ୍ସବରେ ପ୍ରଶାସନ ପକ୍ଷରୁ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣକାରୀ ଯୋଜନା, ସବସିଡି ଓ କୃଷି ଯନ୍ତ୍ରପାତି ଯୋଗାଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଇଥିଲା। ଏହାସହିତ ସହକାରୀ ମତ୍ସ୍ୟ ଅଧିକାରୀ ବନ୍ଦନା ରାଣୀ ପଣ୍ଡା ମତ୍ସ୍ୟ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ସୂଚନା ଦେଇଥିବା ବେଳେ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ମଞ୍ଜୁଲତା ବାଗ ଗାଈ ଓ ଛେଳି ଚାଷ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଶେଷରେ ଅଞ୍ଚଳର ସଫଳ ଚାଷୀ କୃଷ୍ଣଚନ୍ଦ୍ର ନାଗ,ବ୍ରଜମୋହନ ସିଂ, କୃଷ୍ଣ ସୁନାନୀ, ମନ୍ଦାକିନି ପ୍ରଧାନ, ଲିଙ୍ଗରାଜ ଭୋଇ, ନିବେଦନ ସାହୁଙ୍କ ସମେତ କେତେକ ସଫଳ ଚାଷୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ସମ୍ବାଦ ଉତ୍ସବ ସ୍ଥାନୀୟ ଅଞ୍ଚଳରେ ଜୈବିକ ଚାଷର ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *