ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଭାସ୍କେଲ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନଦୀ ମଝିରେ ଏକ ଗଛକୁ ଧରି ଫସି ରହିଥିବା ଜଣେ ବୃଦ୍ଧଙ୍କୁ ଅଗ୍ନିଶମ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଘଟଣାଟି ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ତେଲକୁନାଡ଼ି ଗ୍ରାମ ନିକଟରେ ଘଟିଛି। ଗ୍ରାମର ସୁବାଷ ଭତରା ଭାସ୍କେଲ ନଦୀ ବ୍ରିଜ୍ ଉପରୁ ନଦୀକୁ ଖସି ପଡ଼ିଥିଲେ। ପ୍ରଖର ଜଳସ୍ରୋତ ତାଙ୍କୁ ପ୍ରାୟ ୫୦୦ ମିଟର ଦୂରକୁ ଭସାଇ ନେଇଥିଲା। ଶେଷରେ ନଦୀ ମଝିରେ ଥିବା ଏକ ଗଛକୁ ଧରି ସେ ଜୀବନ ବଞ୍ଚାଇଥିଲେ। ଖବର ପାଇ ଝରିଗାଁ ବିଧାୟକ ନରସିଂହ ଭତରା, ବିଡିଓ ମଧୁସୂଦନ ମାଝୀ ଓ ତହସିଲଦାର ସୁମନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ବୋଟ୍ ସାହାଯ୍ୟରେ ନଦୀ ମଝିରୁ ସୁବାଶଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟ ଧରି ଥଣ୍ଡା ପାଣିରେ ରହିଥିବାରୁ ସୁବାଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଉମରକୋଟ ପ୍ରାଥମିକ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛି।
