କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖମନମୁଣ୍ଡା ଗ୍ରାମପଞ୍ଚାୟତର ଗୁଞ୍ଜେରମାଲ ଗ୍ରାମରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ୭୦୦ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ଉଦ୍ଦେଶ୍ୟରେ ଆୟୋଜିତ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ତରର କର୍ମକର୍ତ୍ତା ଓ ମହିଳା ସଦସ୍ୟମାନେ ଉତ୍ସାହର ସହ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କାଜୁ ୩୦୦, ଲିମ୍ବ ୫୦, ବିଜା ୭୦, ଡାଳିମ୍ବ ୫୦, କରଞ୍ଜ ୫୦, ବରଗଛ ୫୦, ଅଁଳା ୫୦, କଦମ୍ବ ୩୦ ଏବଂ ଅନ୍ୟାନ୍ୟ ପ୍ରଜାତିର ୫୦ଟି ଚାରା ସମେତ ମୋଟ ୭୦୦ଟି ଚାରା ରୋପଣ କରାଯାଇଥିଲା। ଚାରାଗୁଡ଼ିକୁ ଯତ୍ନର ସହ ରୋପଣ କରାଯିବା ସହ ଏହାର ସୁରକ୍ଷା ଓ ନିୟମିତ ଯତ୍ନ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଖମନମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ଅଳକା ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ ପରିବେଶ ସୁରକ୍ଷାରେ ଗଛର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଖମନମୁଣ୍ଡା ପଞ୍ଚାୟତର ନୋଡାଲ ଅଫିସର ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କାର୍ଯ୍ୟର ତଦାରଖ କରିଥିଲେ। ତାଙ୍କ ଉପସ୍ଥିତିରେ ଚାରାରୋପଣର ପ୍ରକ୍ରିୟା, ଚାରାର ସୁରକ୍ଷା ଓ ପରବର୍ତ୍ତୀ ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ସିଆରପି, ଏମବିକେଙ୍କ ସମେତ ୩୦ରୁ ଅଧିକ ଲୋକ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗଦେଇ ଚାରାରୋପଣ ଓ ଏହାର ବ୍ୟବସ୍ଥାପନାରେ ସହଯୋଗ କରିଥିଲେ। ଏକାଠି ହୋଇ ଏତେ ସଂଖ୍ୟକ ଚାରା ରୋପଣ କରାଯିବା ଫଳରେ ଗୁଞ୍ଜେରମାଲ ଗ୍ରାମରେ ସବୁଜିମା ବୃଦ୍ଧି ସହ ପରିବେଶ ସୁରକ୍ଷାର ଏକ ସୁନ୍ଦର ବାର୍ତ୍ତା ପହଞ୍ଚିଛି। ଗଛ କେବଳ ପରିବେଶକୁ ସୁନ୍ଦର କରେ ନାହିଁ, ବରଂ ବାୟୁ ପ୍ରଦୂଷଣ ହ୍ରାସ, ମାଟି ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଏବଂ ଆଗାମୀ ଦିନରେ ମଣିଷ ସମାଜକୁ ଏକ ସୁସ୍ଥ ପରିବେଶ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହି ଦୃଷ୍ଟିରୁ ଗୁଞ୍ଜେରମାଲ ଗ୍ରାମରେ ଆୟୋଜିତ ଏହି ଚାରାରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ବୃଦ୍ଧି ସହ ଗଛ ଲଗାଇବା ଓ ଗଛର ଯତ୍ନ ନେବା ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
